ପୁଣି ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୯୭୮, ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୧୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୫ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୯୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଅନ୍ୟ ୫ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଉକ୍ତ ଆକ୍ରାନ୍ତ କଟକ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବୋଲି ଜଣାଯାଇଛି। ଏହାଫଳରେ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଗତକାଲି ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ୨୦ଜଣ ଆକ୍ରାନ୍ତଙ୍କୁ ଏଥିରେ ସାମିଲ କରାଯାଇଛି।
ଆଜି ଚିହ୍ନଟମାନଙ୍କ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ୨୩ଜଣ,ଭଦ୍ରକ ଜିଲ୍ଲାରୁ ୨୧ଜଣ, ବାଲେଶ୍ବର ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧାରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୨ଜଣ, ଅନୁଗୁଳ ଜିଲ୍ଲାରୁ୨, ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଗଞ୍ଜାମ ଜିଲ୍ଲାରୁ କେହି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି।