ଆଜି ଭାରତୀୟ ନବବର୍ଷ

ବିକ୍ରମ ସମ୍ବତ ୨୦୭୯ର ଆରମ୍ଭ

0

ଭୁବନେଶ୍ୱର : ପ୍ରାଚୀନ ଭାରତୀୟ ଶାସ୍ତ୍ର ଅନୁସାରେ ଭଗବାନ ବ୍ରହ୍ମା ଯେଉଁ ଦିନ ସୃଷ୍ଟିର ସର୍ଜନା କରିଥିଲେ ସେବେଠାରୁ ସମୟ ବା କାଳର ଗଣନା ଆରମ୍ଭ ହୋଇଥିଲା। ଆଉ ସୃଷ୍ଟି ଆରମ୍ଭର ପ୍ରଥମ ଦିନ ଥିଲା ଚୈତ୍ର ଶୁକ୍ଳ ପ୍ରତିପଦା। ସେବେଠାରୁ ପ୍ରତିବର୍ଷ ଏହି ତିଥୀକୁ ନୂଆ ବର୍ଷ ଭାବେ ପାଳନ କରାଯାଇ ଆସୁଛି । ଏହି ଦିନଠାରୁ କେବଳ ପୁରୁଣା ବର୍ଷ ଯାଇ ନୂଆ ବର୍ଷର ଆରମ୍ଭ ହୁଏ ନାହିଁ । ପୃଥିବୀ ପୃଷ୍ଠରେ ଅନେକ କିଛି ପରିବର୍ତ୍ତନ ଘଟେ । ପ୍ରକୃତି କ୍ଷେତ୍ରରେ ଏହି ପରିବର୍ତ୍ତନ ସ୍ପଷ୍ଟ ବାରି ହୋଇପଡ଼େ। ଏହି ସମୟରେ ପୃଥିବୀ ସବୁଜିମାରେ ଭରିଯାଏ। କାରଣ ପତ୍ରଝଡ଼ା ପରେ ଗଛ ଲତାଗୁଡ଼ିକରେ ନୂଆ ପତ୍ର କଅଁଳିଥାଏ। ସଂପୂର୍ଣ୍ଣ ବାତାବରଣରେ ଏକ ନୂଆ ଉଲ୍ଲାସ ଦେଖିବାକୁ ମିଳିଥାଏ। କହିବାକୁ ଗଲେ ପ୍ରକୃତିର ନବ ଶୃଙ୍ଗାର ହୋଇଥାଏ।

ଏହି ନୂଆ ବର୍ଷ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ କାହିଁ କେଉଁ ଆଦି ଆନାଦି କାଳରୁ ଯୋଡ଼ି ହୋଇ ରହିଆସିଛି । ଏହି ଦିନରୁ ଚୈତ୍ର ନବରାତ୍ରିର ଶୁଭାରମ୍ଭ ହୋଇଥାଏ। ଘରେ ଘରେ ମାତୃ ଶକ୍ତିର ଉପାସନା ଆରମ୍ଭ ହୁଏ । ଖାଲି ସେତିକି ନୁହେଁ ଏହି ଦିନ ସହିତ ଇତିହାସ ଓ ପୁରାଣର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଯୋଡ଼ି ହୋଇରହିଛି । ଏହି ଚୈତ୍ର ଶୁକ୍ଳ ପ୍ରତିପଦାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ହୋଇଥିଲା। ଦ୍ବାପରରେ ଚକ୍ରବର୍ତ୍ତୀ ସମ୍ରାଟ ଧର୍ମରାଜ ଯୁଧିଷ୍ଟିରଙ୍କର ମଧ୍ୟ ରାଜ୍ୟାଭିଷେକ ହୋଇଥିଲା ଏହି ପବିତ୍ର ତିଥୀରେ। ସମ୍ରାଟ ବିକ୍ରମାଦିତ୍ୟ ଏଦି ଦିନ ସିଂହାସନ ଆରୋହଣ କରିବା ସହ ବିକ୍ରମ ସମ୍ବତର ପ୍ରଚଳନ ଆରମ୍ଭ କରିଥିଲେ। କହିବାକୁ ଗଲେ ଏହି ତିଥୀ ବର୍ଷର ସର୍ବଶ୍ରେଷ୍ଠ ଦିବସ।

Leave a comment