ଆଜି ‘ଭାରତ ବନ୍ଦ’ : ଓଡ଼ିଶା ଠପ୍

ଓଡିଶା ଫାଷ୍ଟ( ବ୍ୟୁରୋ) : ବାମଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ଆଜି ‘ଭାରତ ବନ୍ଦ’ ପାଳନ କରାଯାଉଛି । ଏହା ପ୍ରଭାବରେ ଆଜି ସାରା ଓଡ଼ିଶାରେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ କାରଣରୁ ଯାତ୍ରୀ ହଇରାଣ ହେଉଛନ୍ତି ।
ସାରା ଦେଶରେ ଆରମ୍ଭ ହୋଇ ଯାଇଥିବା ଭାରତ ବନ୍ଦ ଆସନ୍ତାକାଲି ସକାଳ ୬ଟା ପର୍ୟ୍ୟନ୍ତ ଜାରି ରହିବ । ତେବେ ଏହି ବନ୍ଦ ପ୍ରଭାବରେ ସାରା ଓଡ଼ିଶାରେ ବସ ଚଳାଚଳ ବନ୍ଦ ରହିଛି । କଟକ ବାଦାମବାଡ଼ି, ଭୁବନେଶ୍ୱର ବରମୁଣ୍ଡା, ରାଉରକେଲା ବସଷ୍ଟାଣ୍ଡ, ବାଲେଶ୍ୱର,ବଲାଙ୍ଗୀର, ରାୟଗଡ଼ା, କେନ୍ଦ୍ରାପଡ଼ା ଆଦି ଭଳି ପୁରୀରେ ମଧ୍ୟ ବସ ଚଳାଚଳ ବନ୍ଦ ରହିଛି । ଫଳରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁନାହାଁନ୍ତି ଯାତ୍ରୀ । ଯାହା ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଛି । ଏହି ବନ୍ଦକୁ କିଛି ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି । କଂଗ୍ରେସ ଖୋଲାଖୋଲି ଭାବେ ବନ୍ଦକୁ ସମର୍ଥନ କରିଛି । ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଆଜି ରାଜ୍ୟର ଅଧିକାଂଶ ସ୍କୁଲ କଲେଜରେ ଛୁଟି ଘୋଷଣା କରାଯାଇଛି । ଓଡ଼ିଶାରେ ମଧ୍ୟ ଆଜି ଭାରତ ବନ୍ଦକୁ ସଫଳ କରିବା ପାଇଁ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବେକାରୀ, ବେରୋଜଗର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।