ଆଜି କମେଡି କିଙ୍ଗ୍‌ଙ୍କ ବାହାଘର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଦୀର୍ଘଦିନ ଧରି ଡେଟ୍‌ କରୁଥିବା ପଞ୍ଜାବୀ ଆକ୍ଟ୍ରେସ୍‌ ଗିନ୍ନୀ ଚତରଥଙ୍କୁ ଆଜି ବିବାହ କରିବେ । ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁସାରେ ଉଭୟଙ୍କ ବିବାହ ସମ୍ପନ୍ନ ହେବ । ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଶୁଭେଚ୍ଛା ମିଳୁଥିବା ବେଳେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନୀଙ୍କୁ ବିବାହ ଶୁଭେଚ୍ଛା ଜଣାଇଛନ୍ତି । କପିଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇ ସାରିଥିବା ବେଳେ ବଲିଉଡ୍‌ର ବହୁ ବହୁ କଳାକାର ତାଙ୍କ ବାହାଘରରେ ଯୋଗଦେବାର ଅଛି । ମିଡିଆ ରିପୋର୍ଟ ଅନୁସାରେ ଆଜି କପିଲ ହିନ୍ଦୁ ରୀତିନୀତି ଅନୁସାରେ ଏବଂ ୧୩ ଡିସେମ୍ବରରେ ଶିଖ ଧର୍ମ ଅନୁସାରେ ବିବାହ କରିବେ । 

ପ୍ରକାଶ ଥାଉ କି, ଟେଲିଭିଜନ ଚ୍ୟାନେଲ ସୋନିରେ ପ୍ରସାରିତ ଏକ କମେଡି ରିୟଲିଟି ଶୋ’ କମେଡି ସର୍କସରେ ଭାଗନେଇ କପିଲ ଲୋକଙ୍କ ଦିଲ୍‌ରେ ରାଜ କରିଥିଲେ । ଏହାପରେ କଲର୍ସରେ କପିଲଙ୍କ ଶୋ କମେଡି ନାଇଟସ୍‌ ଉଇଥ୍‌ କପିଲ ଟିଆର୍‌ପି ଶୀର୍ଷରେ ରହିଥିଲା । ଏହାପରେ ସୋନିରେ ସେ ଆରମ୍ଭ କରିଥିବା ଦ କପିଲ ଶର୍ମା ଶୋ’ ମଧ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । କିନ୍ତୁ ଶୋ’ର ସହ-କଳାକାର ସୁନିଲ ଗ୍ରୋଭରଙ୍କ ସହ ମନାନ୍ତର ହେବା ପରେ ଶୋ ବନ୍ଦ ହୋଇଯିବା ସହ କପିଲ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ମାତ୍ର ଏହି ସମୟରେ କଲେଜ ଦିନର ବନ୍ଧୁ ଗିନ୍ନୀ ତାଙ୍କୁ ସାହାରା ଦେଇଥିଲେ । ଗିନ୍ନୀଙ୍କ ପାଇଁ କପିଲ ନିଜର ମନୋବଳ ଦୃଢ଼ କରିବା ସହ ପୁଣି ଥରେ ଟେଲି ପରଦାକୁ ଫେରିବାକୁ ଯାଉଛନ୍ତି । 

Leave a comment