ଆଜି ଛତିଶା ନିଯୋଗ ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ମନ୍ଦିର ଖୋଲିଲାଣି । ତେବେ କେବେ ଶ୍ରୀମନ୍ଦିର ଖୋଲିବ, କେବେ ଜଗା ଦର୍ଶନ କରିହେବ, ସେନେଇ ଶ୍ରଦ୍ଧାଳୁଙ୍କର ଅପେକ୍ଷା ରହିଛି । ଶ୍ରୀମନ୍ଦିର କେବେ ଖୋଲିବ ସେନେଇ ଆଜି ନିଆଯିବ ନିଷ୍ପତ୍ତି । ଆଜି ଛତିଶା ନିଯୋଗ ବୈଠକ ବସିବ ।
ଖବର ଅନୁଯାୟୀ, ରାଜ୍ୟରେ କରୋନାର ୨ୟ ଲହର ସଂକ୍ରମଣକୁ ଦେଖି ପୁରୀ ମନ୍ଦିରରେ ସାଧାରଣ ଦର୍ଶନ ଉପରେ ରୋକ ଲଗାଇଥିଲା ପ୍ରଶାସନ । କେବଳ ମନ୍ଦିରରେ ପୂଜାର୍ଚ୍ଚନା ଜାରି ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । କିନ୍ତୁ ସଂକ୍ରମଣ କମିବା ପରେ ରାଜ୍ୟରେ କଟକଣା ଧିରେ ଧିରେ କୋହଳ ହେବାରେ ଲାଗିଛି । ଏପିରିକି ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ରାଜ୍ୟ ସରକାର। ହେଲେ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ନେଇପାରିବେ । ଏହିପରିପେକ୍ଷୀରେ ରାଜ୍ୟରେ ଧିରେ ଧୀରେ ସମସ୍ତ ମନ୍ଦିର ଖୋଲିବାରେ ଲାଗିଛି । ତେବେ ଏବେ ବାକି ରହିଲା ଶ୍ରୀମନ୍ଦିର । ଆଗାମୀ ଦିନରେ ମନ୍ଦିର ଖୋଲିବା ନେଇ ଯେଉଁ ସସ୍ପେନ୍ସ ଜାରି ରହିଛି । ତାହା ଆଜି ଶେଷ ହେବ । ଆଜି ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ଏଥିରେ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବାର ସୂଚନା ରହିଛି ।