ପୁଣିଥରେ ଗିରଫ ହେଲେ ଟିଏମ୍ସି ମୁଖପାତ୍ର ସାକେତ୍ ଗୋଖ୍ଲେ
ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖପାତ୍ର ସାକେତ୍ ଗୋଖ୍ଲେଙ୍କୁ ଫେକ୍ ଟ୍ୱିଟ୍ ମାମଲାରେ ଗୁଜରାଟ ପୁଲିସ୍ ଶୁକ୍ରବାର ପୁଣିଥରେ ଗିରଫ କରିଛି । ମୋର୍ବୀ ଝୁଲାପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ମିଥ୍ୟା ଟ୍ୱିଟ୍ ଅଭିଯୋଗରେ ଗୁଜରାଟ ପୁଲିସ ଦୁଇଦିନ ତଳେ ତାଙ୍କୁ ଗିରଫ କରିଥିଲା ।
ପୁଲିସ ରିମାଣ୍ଡ୍ ପୂରା ହେବାପରେ ତାଙ୍କୁ ଶୁକ୍ରବାର କୋର୍ଟରେ ହଜାର କରାଯାଇଥିଲା । ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଏମ୍ଭି ଚୌହାନ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ମାତ୍ର ମୋର୍ବୀରେ ରୁଜୁ ଅନ୍ୟ ଏକ ଅପରାଧ ମାମଲାରେ ସେଠାକାର ପୁଲିସ ତାଙ୍କୁ ପୁଣିଥରେ ଗିରଫ କରିଛି ବୋଲି ସାଇବର୍ କ୍ରାଇମ୍ ଏସିପି ଜିତେନ୍ଦ୍ର ଯାଦବ କହିଛନ୍ତି । ଅନ୍ୟପକ୍ଷରେ ଟିଏମ୍ସି ସାଂସଦ ଡେରେକ୍ ଓ’ବ୍ରାଏନ୍ ଟ୍ୱିଟ୍କରି ଗୁଜରାଟ ପୁଲିସ ସାକେତ୍ଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି ।