ପୁଣି ରିମାଣ୍ଡରେ ଗଲା ଟିଟୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ପୋଲିସ ଟିଟୋକୁ ନେଇଥିବା ୨ଦିନିଆ ରିମାଣ୍ଡ ଅବଧି ସୋମବାର ଶେଷ ହେବା ପରେ ପୁଣି ଆଜି ମାର୍ଶାଘାଇ ପୋଲିସ ତାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି । ୨୦୧୫ ମସିହା ମାର୍ଶାଘାଇ ଥାନା ଅଧୀନ ରାଜକିଶୋର ବେହେରା ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଟିଟୋଙ୍କୁ ମାର୍ଶାଘାଇ ଥାନା ପୋଲିସ ରିମାଣ୍ଡରେ ନେଇଥିବା ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷେ ଟିଟୋ ଗିରଫ ମାମଲାର ତଦନ୍ତ ନିମନ୍ତେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ସୋମବାର କେନ୍ଦ୍ରାପଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଖେଳତାଡ଼ କରିଛି । ଟିଟୋ ଓ ତାଙ୍କ ବନ୍ଧୁବାନ୍ଧବ ଜିଲ୍ଲାର ୨୬ଟି ବାଲି ସୈରାତ ଲିଜ୍ରେ ନେଇଥିବା ଜଣାପଡିବା ପରେ ଏସ୍ଟିଏଫ୍ ଟିମ୍ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ବାଲି ସୈରାତ ଓ ଏହାର ନିଲାମଧାରୀଙ୍କ ନାମ ତାଲିକା ସଂଗ୍ରହ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୨୪ ତାରିଖରେ ମାର୍ଶାଘାଇ ଥାନା ଅଧୀନ ତିଖିରି ଗ୍ରାମ ନିକଟ ପାଇକା ନଦୀବନ୍ଧରେ ରାଜକିଶୋର ବେହେରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଟିଟୋଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଅଧିକ ତଦନ୍ତ ନିମନ୍ତେ ତାଙ୍କୁ ରିମାଣ୍ଡରେ ନିଆଯାଇଥିବା ମାର୍ଶାଘାଇ ଥାନା ଅଧିକାରୀ ବେହେରା ସୂଚନା ଦେଇଛନ୍ତି।