ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ତଳେ ପଡ଼ିଯାଇଥିବା ମହିଳାଙ୍କ ଉପରେ ଚାଲିଗଲେ ଲୋକେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପୋଲସରା ସହରର ରାଣୀପଡା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ମଙ୍ଗଳବାର ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଟୀକା ଗ୍ରହଣ ଲାଗି ଟୀକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା । ଇତି ମଧ୍ୟରେ ଗହଳି ଭିତରେ ଟୀକା ନେଵାଲାଗି ଆଗଭର ହେଉଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ।
ମହିଳା ଜଣଙ୍କ ହେଉଛନ୍ତି ପୋଲସରା ଥାନା ନିକଟ ଲକ୍ଷ୍ମଣପଲି ଗ୍ରାମର ଭାନୁମତି ସାହୁ । ଲୋକଙ୍କ ଠେଲା ଠେଲି ଭିତରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ମହିଳା ଜଣକ ତଳେ ପଡିଯିବାପରେ ସମସ୍ତେ ତାଙ୍କ ଉପରେ ଚାଲିଯାଇଥିଲେ । ଯାହାଫଳରେ ଭାନୁମତିଙ୍କ ଛାତିର ପଞ୍ଜରା ହାଡ ଭାଙ୍ଗିଯାଇଥିଲା। ପରିବାର ପକ୍ଷରୁ ଭାନୁମତିଙ୍କୁ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ଯୋଗେ ବ୍ରହ୍ମପୁର ପଠାଯାଇଥିଲା। ସ୍ଥାନୀୟ ପ୍ରଶାସନର ଢିଲା ନୀତି ଯୋଗୁଁ ଟୀକା କରଣ କେନ୍ଦ୍ରରେ ଅବ୍ୟବସ୍ଥା ଦେଖା ଦେଇଥିଲା ବୋଲି ଆହତଙ୍କ ପୁଅ ପ୍ରତାପ ସାହୁ କହିଛନ୍ତି । ଘଟଣା ପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ପ୍ରଦୀପ କୁମାର ନାୟକ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶ୍ନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ବୁଝାସୁଝା କରିଥିଲେ ।