ଟୀକାକରଣ ପାଇଁ ରାଜ୍ୟର ପ୍ରସ୍ତୁତି ପ୍ରକ୍ରିୟା ଆଗୁଆ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି। ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ। କୋଭିଡ ପରିଚାଳନାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ MSME ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସଂପର୍କରେ ସେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଅବହେଳା କରୁଥିବା ବ୍ୟାଙ୍କ ସଂପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।