ଟିକାକରଣକୁ ପୂରିଲା ବର୍ଷେ; ମୋଦି କହିଲେ ‘ଭାରତ ଗର୍ବିତ’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଟିକାକରଣକୁ ପୂରିଲା ଗୋଟିଏ ବର୍ଷ । ଜାନୁଆରୀ ୧୬, ୨୦୨୧ରେ ଦେଶରେ ଆରମ୍ଭ ହୋଇଥିବା କରୋନା ଟିକାକରଣର ଗୋଟିଏ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ବିରୁଦ୍ଧ ଲଢେଇକୁ ଟିକାକରଣ ଅଧିକ ମଜବୁତ କରିଛି । ଲୋକଙ୍କ ଜୀବନ ରକ୍ଷା କରିବା ସହ ଏହା କୋଟି କୋଟି ଲୋକଙ୍କ ଜୀବିକାକୁ ସୁରକ୍ଷିତ କରିଛି।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘କରୋନାର ପ୍ରଥମ ଲହରରେ ଭୂତାଣୁ ବାବଦରେ କେହି କିଛି ଜାଣି ନଥିଲେ । ଏହାପରେ ବି ଆମ ଦେଶର ବୈଜ୍ଞାନିକମାନେ କରୋନାର ଟିକା ବିକଶିତ କରିବାରେ ସଫଳ ହୋଇପାରିଲେ । କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଟିକା ଯୋଗାଇ ଏଥିରେ ନିଜର ଅବଦାନ ଦେଇଥିବାରୁ ଭାରତ ଗର୍ବ ଅନୁଭୁବ କରୁଛି’।
ଏହାସହ ମୋଦି କହିଛନ୍ତି, ଟିକାକରଣ ଅଭିଯାନରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମୋର ସଲାମ । ଆମ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଯୋଗଦାନ ଏଥିରେ ଅତୁଳନୀୟ । ଯେତେବେଳେ ଆମ ସ୍ୱାସ୍ଥ୍ୟ କର୍ମୀ ଦୁର୍ଗମ ଅଞ୍ଚଳକୁ ଟିକା ନେଇ ସେଠାକାର ଲୋଙ୍କୁ ଟିକା ପ୍ରଦାନ କରୁଥିବା ଦେଖୁ, ସେହି ମୂହୂର୍ତ୍ତରେ ଆମ ହୃଦୟ ଏବଂ ମନ ଗର୍ବିତ ହୋଇଉଠେ ।

ଭାରତର କରୋନା ମହାମାରୀ ମୁକାବିଲା ବୈଜ୍ଞାନ ଆଧାରିତ । ଦେଶବାସୀଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିଛନ୍ତି ବୋଲି ମୋଦି କହିଛନ୍ତି । ଏହାସହ ସମସ୍ତ ଦେଶବାସୀଙ୍କୁ କରୋନା ନିୟମାବାଳୀ ପାଳନ କରିବାକୁ ମୋଦି ନିବେଦନ କରିଛନ୍ତି ।

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫୬.୭୬ କୋଟି ଭ୍ୟାକ୍ସିନ ଡୋର ପ୍ରଦାନ କରାଯାଇଛି। ଏହାସହ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର କିଶୋର ଏବଂ ଜାନୁଆରୀ ୧୦ରୁ ଦେଶରେ ବୁଷ୍ଟର ଡୋଜ ଦିଆଯିବା ଆରମ୍ଭ ହୋଇଛି।

Leave a comment