ଭାରତରେ ଟିକାକରଣ କମାଇଛି ମୃତ୍ୟୁ ହାର : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭାରତରେ କରୋନା ମାମଲାରେ ଲଗାତାର ବୃଦ୍ଧି ଘଟୁଛି । ଦୈନିକ ଚିହ୍ନଟ ମାମଲା ୩ ଲକ୍ଷ ଉପରେ ରହିଛି । ଏହାରି ଭିତରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ୱାଦିକ ସମ୍ମଳନୀ କରି କହିଛି, ସାରା ବିଶ୍ୱ ବର୍ତ୍ତମାନ କରୋନାର ଚତୁର୍ଥ ଲହର ଦେଇ ଗତି କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱରେ କରୋନାର ଚତୁର୍ଥ ଲହର ଦେଖିବାକୁ ମିଳିଛି । ଗତ ଗୋଟିଏ ସପ୍ତାହରେ ପ୍ରତିଦିନ ୨୯ ଲକ୍ଷ ମାମଲା ରେକର୍ଡ ହୋଇଛି । ଗତ ୪ ସପ୍ତାହରେ ଆଫ୍ରିକାରେ କରୋନାର ମାମଲା ହ୍ରାସ ହୋଇଛି । ଏସିଆ ମହାଦେଶରେ କରୋନା ମାମଲା ବଢୁଥିବା ବେଳେ, ୟୁରୋପରେ ବି ମାମଲା ହ୍ରାସ ପାଉଛି।
ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ କରୋନା ଦ୍ୱିତୀୟ ଏବଂ ତୃତୀୟ ଲହର ମଧ୍ୟରେ ତୁଳନା କରିବା ସହ ମୃତକଙ୍କ ସଂଖ୍ୟା ଏବଂ ଟିକାକରଣ ବାବଦରେ ସୂଚନା ଦେଇଛି । ଏହାସହ, ପ୍ରଥମ ଥର ପାଇଁ ମନ୍ତ୍ରଣାଳୟ ଜାନୁଆରୀରେ ବଢୁଥିବା ମାମଲାକୁ ଦେଶରେ ତୃତୀୟ ଲହର ବୋଲି କହିଛି।
ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ଓଡିଶା, ଦିଲ୍ଲୀ ଏବଂ ରାଜସ୍ଥାନରୁ ପ୍ରତିଦିନ ଅଧିକ କେସ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶର ୫୧୫ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ପ୍ରତିଶତରୁ ଅଧିକ ରହିଛି ।
ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଏପ୍ରିଲ ୩୦, ୨୦୨୧ରେ କରୋନାର ଦ୍ୱିତୀୟ ଲହର ଶୀର୍ଷରେ ପହଞ୍ଚିଥିଲା। ସେହି ସମୟରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ କେସ ଚିହ୍ନଟ ହେଉଥିବା ବେଳେ ୩ ହଜାର ୫୯ ମୃତ୍ୟୁ ରେକର୍ଡ ହୋଇଥିଲା। କେବଳ ୨ ପ୍ରତିଶତ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିଲା। ଜାନୁଆରୀ ୨୦,୨୦୨୨ରେ ଦେଶରେ ୩,୧୭,୫୩୨ଟି ନୂଆ କେସ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ସମୟରେ ଦେଶରେ ୭୨ ପ୍ରତିଶତ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ସରିଛି।