ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ଭୁବନେଶ୍ୱରରେ ୩୨ ଓ କଟକରେ ୪୦ ପ୍ଲାଟୁନ ଫୋର୍ସ, ୨୪ ଘଣ୍ଟା ବୁଲିବ ପାଟ୍ରେଲିଂ ଭ୍ୟାନ

ଓଡିଶା ଫାଷ୍ଟ(ବ୍ୟୁରୋ): ଶାରାଦୀୟ ଦୁର୍ଗାପୂଜାକୁ ନେଇ ଭୁବନେଶ୍ୱର ଓ କଟକ ଚଳଚଞ୍ଚଳ ହୋଇଉଠିଛି । ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।
ଦ୍ୱିତନଗରୀରେ ପୂଜା ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଏଥିସହିତ ଗୁରୁତ୍ୱପୂର୍ଣ୍ଣ ମଣ୍ଡପରେ ସିଆରପିଏଫ, ଏସଓଜି ଯବାନମାନଙ୍କୁ ମୃତୟନ କରାଯିବା ସହ ସ୍ପେଶାଲ ପୋଲିସ ଅଫିସରମାନଙ୍କୁ ନିୟୋଜିତ କରାଯିବ ବୋଲି ପୋଲିସ କମିଶନର ଶ୍ରୀ ମହାନ୍ତି କହିଛନ୍ତି ।
ଭୁବନେଶ୍ୱରରେ ମୋଟ ୧୭୨ଟି ପୂଜା ପେଣ୍ଡାଲ ରହିଛି । ଏହାକୁ ୩ଟି ଗ୍ରେଡରେ ବିଭକ୍ତ କରାଯାଇଛି । ଗ୍ରେଡ ଏ ରେ ୫୯ଟି ମେଢ ଥିବା ବେଳେ ଗ୍ରେଡ ବି ରେ ୬୦ ଓ ଗ୍ରେଡ ସି ରେ ୫୪ଟି ପୂଜା ପେଣ୍ଡାଲ ରହିଛି । ଏଥି ମଧ୍ୟରୁ ୧୪ଟି ପୂଜା ପେଣ୍ଡାଲରେ ଜନଗହଳି ହେବା ସମ୍ଭାବନା ରହିଛି । ତେବେ ସମସ୍ତ ପୂଜା ପେଣ୍ଡାଲରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୧୪ଟି ମୁଖ୍ୟ ପେଣ୍ଡାଲରେ ସୁରକ୍ଷାକୁ କଡାକଡି କରାଯାଇଛି । ସେହିପରି ସହରରେ ୧୦ରୁ ଅଧିକ ଚାନ୍ଦୀମେଢ ହେଉଥିବାରୁ ସେଠାରେ ସଶସ୍ତ୍ର ପୋଲିସ ମୁତୟନ କରାଯିବ ।
ଦୁର୍ଗାପୂଜା ଅବସରରେ ସାନ୍ଧ୍ୟ ପ୍ରାଟ୍ରୋଲିଂକୁ କଡାକଡି କରାଯିବା ସହ ୧୧ଟି ପାଟ୍ରୋଲିଂ ଭ୍ୟାନ ସହରରେ ବୁଲିବ । ଏଥିସହିତ କ୍ୟୁଆରଟି ଟିମ୍, କ୍ୟୁଏଟି ବା କୁଇକ ଆକ୍ସନ ଟିମଙ୍କୁ ମୃତୟନ କରାଯିବ । ପ୍ରାୟ ସମସ୍ତ ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ଅପରାଧିଙ୍କ ଉପରେ ନଜର ରଖିବ । ଭୁବନେଶ୍ୱରରେ ସମୁଦାୟ ୩୨ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ କରାଯାଇଛି । ଏଥିସହିତ ୨୫୦ ଅଫିସର ସହ ୫୦୦ କନଷ୍ଟେବଲ ଓ ୪୦୦ ଗୃହରକ୍ଷୀଙ୍କୁ ମୁତୟନ କରାଯିବ ।
ଅପରପକ୍ଷରେ କଟକରେ ଚଳିତ ବର୍ଷ ୧୬୨ଟିରୁ ଅଧିକ ପୂଜା ମଣ୍ଡପ କରାଯାଉଛି । ଏଥର କଟକରେ ସୁନା ଓ ଚାନ୍ଦୀ ମେଢ ସଂଖ୍ୟା ବଢିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କଟକରେ ସମୁଦାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଦୁଇ ପ୍ଲାଟୁନ ସିଆରପିଏଫ, ଏସଓଜି ଓ କ୍ୟୁଆରଟି ଟିମକୁ ମୁତୟନ କରାଯିବ । ଭୁବନେଶ୍ୱର ପରି କଟକରେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି । ଏଥିସହିତ ପୂଜା କମିଟିର ଅଧିକାଂଶ ସଦସ୍ୟଙ୍କୁ ଏସପିଓ ଭାବେ ନିୟୋଜିତ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।