ହସ୍ପିଟାଲରେ ନବଜାତକ ସହ ଟିକ୍‌ଟକ୍‌ ଭିଡ଼ିଓ କରିବା ମହଙ୍ଗା ପଡ଼ିଲା ୩ଜଣ ନର୍ସଙ୍କୁ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମସ୍ତେ ଏବେ ଟିକ୍‌ଟକ୍‌ ମାୟାରେ ବାୟା । ପୂର୍ବରୁ ଲୋକେ ସେଲ୍‌ଫି ମାୟାରେ ପଡ଼ିଥିବା ବେଳେ ଏବେ ସମସ୍ତଙ୍କୁ ଟିକ୍‌ଟକ୍‌ ନିଶା ଘାରିଛି । ଏହା ଏକ ଏଣ୍ଟରଟେନିଂ ଆପ୍‌ ହୋଇଥିବା ବେଳେ ଅନେକେ ଏହାର ଦୂରୁପଯୋଗ କରି ନିଜ ସମେତ ଅନ୍ୟମାନଙ୍କୁ ମଧ୍ୟ ହାନି ପହଞ୍ଚାଉଥିବା ଦେଖାଯାଉଛି । ଏପରିକି ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ତଥା ନର୍ସମାନଙ୍କର ରୋଗୀଙ୍କୁ ଅବହେଳାର ଅନେକ ଘଟଣା ସାମ୍ନାକୁ ଆସିଛି । ଏଭଳି ଆଉ ଏକ ଘଟଣା ନଜରକୁ ଆସିଛି ମାଲକାନଗିରି ଜିଲାରେ ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲା ମୁଖ୍ୟଚିକିତ୍ସାଳୟରେ ସ୍ବତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷ(ଏସଏନ୍‌ସିୟୁ) ରେ କାର୍ଯ୍ୟରତ ନର୍ସମାନଙ୍କ ଟିକ୍‌ଟକ୍‌କ ଭିଡିଓ ଭାଇରାଲ ହୋଇଛି । ଏକ ଭିଡିଓରେ ଜଣେ ନର୍ସ ଏକ ନବଜାତକକୁ ସାଙ୍ଗରେ ଧରି ଟିକ୍‌ଟକ୍‌ ଭିଡ଼ିଓ କରିଥିବା ଦେଖାଯାଇଛି। ଏଥିସହ ଅନ୍ୟ କେତେଜଣ ନର୍ସ କେତେକ ବଲିଉଡ୍‌ ଡାଏଲଗ୍‌ରେ ଭିଡିଓ କରିଛନ୍ତି । ଏହି ସମସ୍ତ ମେଡିକାଲ ପରିସରରେ କରାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି । ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମେଡିକାଲରେ ରୋଗୀ ଓ ନବଜାତକ ଶିଶୁଙ୍କୁ ଅବହେଳା କରାଯାଉଥିବା ନେଇ ଆଲୋଚନା ଜାରି ରହିଛି । ଏସଏନ୍‌ସିୟୁ କକ୍ଷରେ ପୁଷ୍ଟିହିନ ତଥା ଗୁରୁତର ଶିଶୁଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ନର୍ସମାନଙ୍କ ଏତାଦୃଶ କାର୍ଯ୍ୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ଖବର ପ୍ରଚାରିତ ହେବା ପରେ ଭିଡିଓରେ ଥିବା ୩ ନର୍ସଙ୍କୁ ସିଡିଏମ୍‌ଓ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।

Leave a comment