ଭାଣିଜୀ ବିପକ୍ଷରେ ତିନି ମାମୁଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତି ଆଗରେ ସବୁ ସମ୍ପର୍କ ଫିକା । ଏହାର ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ । ଜଣେ ଶିକ୍ଷିତା ଯୁବତୀ ନିଜ ମାମୁଁ ମାନଙ୍କ ରାଜନୈତିକ ଗୋଟି ଚାଳନା ଭିତରେ ଛନ୍ଦି ହୋଇଯାଇଛନ୍ତି ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୪ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓଲ୍ଲାହିଛନ୍ତି । ସେମାନଙ୍କ ମଧ୍ୟରେ ଭୋଲେଶ୍ୱରୀ ଦାସ ନାମକ ଜଣେ ଯୁବତୀ ଅଛନ୍ତି । ଭୋଲେଶ୍ୱରୀ ଜଣେ ଯୁକ୍ତ ୩ ଛାତ୍ରୀ । ଭୋଲେଶ୍ୱରୀ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓଲ୍ଲାହିଛନ୍ତି । ମାତ୍ର ଅପରପକ୍ଷରେ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡ଼ା ହୋଇଛନ୍ତି ତାଙ୍କର ତିନି ସମ୍ପର୍କୀୟ ମାମୁଁ । ସେମାନେ ହେଲେ ଚୁଳମଣି ବୈଠାରୁ, ଜଗମୋହନ ବୈଠାରୁ ଏବଂ ନୀଳଗିରି ବୈଠାରୁ ।
ଭୋଲେଶ୍ୱରୀ ଶିକ୍ଷିତ ହୋଇଥିବାରୁ ନିଜ ଗ୍ରାମର ଉନ୍ନତି ପାଇଁ ନିର୍ବାଚନକୁ ଓଲ୍ଲାହି ଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଚାର ପାଇଁ ଗ୍ରାମର ବିଭିନ୍ନ ସ୍ଥାନରେ ସେ ତାଙ୍କ ନିର୍ବାଚନ ପୋଷ୍ଟର ଲଗାଇଥିଲେ । ମାତ୍ର ତାଙ୍କ ମାମୁଁ ମାନେ ଏହି ପୋଷ୍ଟରକୁ ଚିରି ଦେଇଛନ୍ତି । ଏହାଦ୍ୱାରା ସେମାନେ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ସେ ଜାଣିପାରୁ ନାହାଁନ୍ତି ବୋଲି କହିଛନ୍ତି । ଗ୍ରାମବାସୀମାନେ ଏହାର ଉଚିତ ଜବାବ ଦେବେ ବୋଲି ଭୋଲେଶ୍ୱରୀ ବିଶ୍ୱାସ ରଖିଛନ୍ତି ।
ସୂଚନା ଅନୁଯାୟୀ, ଭୋଲେଶ୍ୱରୀ ଏବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ପାଠ ପଢ଼ୁଛନ୍ତି। ପିଲାବେଳୁ ସମାଜସେବାର ନିଶା ତାଙ୍କୁ ରାଜନୀତିକୁ ଟାଣି ଆଣିଛି ବୋଲି କୁହନ୍ତି। ତାଙ୍କ ଦୁର୍ନୀତି ବିରୋଧୀ ସ୍ଲୋଗାନ, ଶିକ୍ଷାଦୀକ୍ଷା ଯୋଗୁଁ ନିଶ୍ଚିତ ଭାବେ ଭୋଟରଙ୍କ ଦ୍ୱାରା ଆଦୃତ ହେବେ ବୋଲି ଆଶାବାଦୀ ଅଛନ୍ତି।