୩ ଜଣଙ୍କୁ ମିଳିଲା ପ୍ରଥମ ସୁରଜ ସମ୍ମାନ, ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୩ଜଣଙ୍କୁ ମରଣୋତ୍ତର ସୁରଜ ସମ୍ମାନରେ ସମ୍ମାନିତ କରିଛନ୍ତି। ୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଞ୍ଜନଗରର ଜଣେ ଯୁବକ ‘ସୁରଜ’ ଗୁଜରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଥିଲେ। ତାଙ୍କ ପିତା-ମାତାଙ୍କ ସାହସିକ ନିଷ୍ପତ୍ତି ଫଳରେ ସୁରଜଙ୍କର ବୃକକ୍, ଲିଭର୍, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢ଼ାଯାଇ ବିଭିନ୍ନ ସହରରେ ୬ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇ ପାରିଥିଲା। ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ‘ସୁରଜ ସମ୍ମାନ’ ପୁରସ୍କାର ଘୋଷଣା କରିଥିଲେ। ସୁରଜଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡେଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତିମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ। ଯାହାଫଳରେ ଅନ୍ୟମାନଙ୍କ ଜୀବନ ବଞ୍ଚାଯାଇପାରିଥିଲା। ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାସହ ସେମାନଙ୍କୁ ପୁରସ୍କାର ସ୍ୱରୂପ ୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ ମଣିଷ ପଣିଆର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ଦେଇଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଞ୍ଚିବାର ନୂଆ ଆଶାର କିରଣ ସୃଷ୍ଟି କରିଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ବି ମଣିଷ ପଣିଆ ବଞ୍ଚିଛି। ଅନ୍ୟର ଜୀବନ ବଞ୍ଚାଇବାଠାରୁ ଅଧିକ ପୁଣ୍ୟ କିଛି ନାହିଁ।  ଅଙ୍ଗଦାନ କରିଥିବା ବ୍ୟକ୍ତିମାନେ ମରି ମଧ୍ୟ ଅମର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave a comment