ଭୁବନେଶ୍ୱର ମେୟର ପାଇଁ ତିନି ଦାବେଦାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀରେ ପ୍ରଥମଥର ପାଇଁ ମହିଳା ମେୟର ହେବା ଖବର ପ୍ରଚାରିତ ହେବାପରେ ହଇଚଇ ସୃଷ୍ଟି ହେଇଛି । ଏହା ଅନେକ ଦିନରୁ ଲାଗିରହିଥିବା ଦ୍ଵନ୍ଦରୁ ପରଦା ହଟାଇଛି । ଭୁବନେଶ୍ୱର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚାର ଅନ୍ତ ଘଟିଛି । ଚଳିତ ଥର ରାଜଧାନୀ ଭୁବନେଶ୍ୱରରେ ମହିଳା ମେୟର ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ଖବର ପ୍ରଚାର ହେବା ମାତ୍ରେ ତିନିଜଣ ମହିଳାଙ୍କ ନାଁ ନେଇ ରାଜନୈତିକ ମହଲ ରେ ଚର୍ଚ୍ଚା ଆରମ୍ଭ ହେଲାଣି । ସେମାନେ ହେଲେ ଇତିରାଣୀ ସାମନ୍ତ, ଶ୍ରୀମୟୀ ମିଶ୍ର ଏବଂ ସୁସ୍ମିତା ବାଗଚି ।

୧୯୭୦ରେ କଟକରେ ଜନ୍ମିତ, ମାସିକ ପ୍ରକାଶିତ ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତିରାଣୀ ସାମନ୍ତଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ପତ୍ରିକା କାଦମ୍ବିନୀ ଓ କୁନିକଥା ଓଡ଼ିଶାରେ ଘରେ ଘରେ ପରିଚିତ । ସେ ଜଣେ ସୁ ଲେଖିକା , ସାମ୍ବାଦିକା ଏବଂ ସିନେମା ପ୍ରଯୋଜକ । ସେ ୨୦୧୪ ମସିହାରେ ଭଲ ଗଳ୍ପ ଲେଖିକା ଭାବେ ଓଡ଼ିଆ ଫିଲ୍ମଫେଆର ପୁରସ୍କାର ରେ ପୁରସ୍କୃତ ହୋଇଥିଲେ । ସେହିପରି ସିନେମା କଥାନ୍ତର ପାଇଁ ଭଲ ପ୍ରଯୋଜକ ଭାବେ ଇତିରାଣୀ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଠାରୁ ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଗତ କିଛିଦିନ ହେବ ଇତି ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ ଅଛନ୍ତି । ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଜଡ଼ିତ ଅଛନ୍ତି । ଉତ୍ତର ଭୁବନେଶ୍ୱରରେ ତାଙ୍କର ଖୁବ ଲୋକପ୍ରିୟ ଥିବାରୁ ମେୟର ପଦଵୀ ପାଇଁ ସେ ଜଣେ ପ୍ରମୁଖ ଦାବେଦାର ବୋଲି ଚର୍ଚ୍ଚା ହେଉଛି । ଅପରପକ୍ଷରେ ଇତିଙ୍କ ଭାଇ ସାଂସଦ ଅଚ୍ୟୁତ ସାମନ୍ତ କିଟ ପରି ବିଶ୍ୱବିଦ୍ୟାଳୟ ଚଳାଇବା ସହ ଶାସକ ଦଳ ପକ୍ଷରୁ କନ୍ଧମାଳ ସାଂସଦ ଅଛନ୍ତି । ତେଣୁ ଇତିଙ୍କ ନିଜସ୍ୱ ଖ୍ୟାତି ସହ ଅଚ୍ୟୁତଙ୍କ ଲୋକପ୍ରିୟତା ମଧ୍ୟ ତାଙ୍କ ସପକ୍ଷରେ ଯିବା ଏକପ୍ରକାର ସୁନିଶ୍ଚିତ ।

ସେହିପରି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶାସକ ଦଳର ଜଣେ ଲୋକପ୍ରିୟ ନେତ୍ରୀ । ତୁର୍ତ୍ତୀୟ ମହଲା ଓ ପ୍ରଶାସନିକ ସ୍ତରରେ ତାଙ୍କର ଅନେକ ସୁସମ୍ପର୍କ ମଧ୍ୟ ରହିଛି । ଦଳରେ ଅନେକ ତୁଙ୍ଗନେତା ତାଙ୍କ ପାଇଁ ଲବୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିଜେ ସେ ମୟେର ହେବା ପାଇଁ ଅନେକ ଆଶା ବାନ୍ଧିଥିବା ଜଣାପଡ଼ିଛି। କାରଣ ରାଜଧାନୀରେ ଅନେକ ଜଗରେ ତାଙ୍କର ପୋଷ୍ଟର ଦେଖିବାକୁ ମିଳିଥିଲା । ନିକଟରେ ନିମନ୍ତ୍ରଣ ନାମକ ଏକ ଭୋଜନାଳୟର ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଇ ଶ୍ରୀମୟୀ ଖୁବ ଚର୍ଚ୍ଚାରେ ଥିଲେ । ସେ ପରବର୍ତ୍ତୀ ମେୟର ହେବା ନେଇ ପୂର୍ବରୁ ମଧ୍ୟ ଅନେକ ଥର ଚର୍ଚ୍ଚା ହେଉଥିଲା । ଏପରିକି ଏସମ୍ୱନ୍ଧରେ ଶ୍ରୀମୟୀଙ୍କୁ କିଛି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ମତେ ଯେଉଁ ଦାୟିତ୍ୱ ଦିଆଯିବ ମୁଁ ତାହା କରିବି । ଯାହାକି ଶ୍ରୀମୟୀ ମଧ୍ୟ ନିଜେ ମେୟର ପଦ ପାଇଁ ଆଶା ରଖିଥିବା ନେଇ ଚର୍ଚ୍ଚା ହେଉଥିଲା ।

ଅପରପକ୍ଷରେ ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମିତା ବାଗଚିଙ୍କ ନାଁ ଭୁବନେଶ୍ୱର ମେୟର ରେସ ରେ ଥିବା ରାଜନୈତିକ ମହଲରେ ଏକ ରୋଚକ ସ୍ଥିତି ସୃଷ୍ଟି କରିଛି । ୨୫ ସେପ୍ଟେମ୍ବର ୧୯୬୦ ରେ କଟକରେ ଜନ୍ମିତ ସୁସ୍ମିତା ବାଗଚି ଜଣେ ଜଣାଶୁଣା ଓଡ଼ିଆ ଲେଖିକା । ସେ ଅନେକ ବହି ଓଡ଼ିଆ ଏବଂ ଇଂରାଜୀରେ ଲେଖିଛନ୍ତି । ସୁସ୍ମିତା ସାହିତ୍ୟ ଏକାଡେମୀ ପୁରସ୍କାର, ପ୍ରଜାତନ୍ତ୍ର ପୁରସ୍କାର ଏବଂ ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର ପାଇଛନ୍ତି । ସୁସ୍ମିତା ବାଗଚିଙ୍କ ମା’ ଶକୁନ୍ତଳା ପଣ୍ଡା ଓଡ଼ିଆ ମହିଳାଙ୍କ ପତ୍ରିକା ସୁଚରିତାର ମୁଖ୍ୟ ଥିଲେ । ସେହିପରି ସୁସ୍ମିତା ବାଗଚିଙ୍କ ସ୍ୱାମୀ ସୁବ୍ରତ ବାଗଚି ୪୦୦ କୋଟି ଟଙ୍କା କ୍ୟାନ୍ସର ହସ୍ପିଟାଲ ପାଇଁ ସରକାରଙ୍କୁ ଦାନ କରିବା ତାଙ୍କ ବଦାନ୍ୟତାର ପରିଚୟ । ଯାହାକୁ ନେଇ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ଅପରପକ୍ଷରେ ସୁବ୍ରତଙ୍କର ପ୍ରଶାସନିକ ସ୍ତରରେ ଖୁବ ସୁସମ୍ପର୍କ ରହିଛି । ତେଣୁ ତାଙ୍କ ପତ୍ନୀ ସୁସ୍ମିତାଙ୍କୁ ମେୟର ପ୍ରାର୍ଥୀ କରିବା ନେଇ ପ୍ରଶାସନିକ ସ୍ତରରୁ ଲବୀ ରହିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଥାଉକି

ବିଗତ ଦିନରେ ବିଜେଡ଼ି ଦଳର ଦୁଇ ମେୟର ଆଶାୟୀ ପ୍ରାର୍ଥୀ ଙ୍କ ମଧ୍ୟରେ ଚାଲିଥିଲା ଜୋରଦାର ଲଢ଼େଇ । ସେମାନେ ହେଲେ ଭୁବନେଶ୍ୱର ପରିଚିତ ପୂର୍ବତନ କର୍ପୋରେଟର ଅମରେଶ ଜେନା (ବାଇଁଆ) ଓ ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ) । ବିଜେଡ଼ିର ଦଳର ଲଗାମ ଧରିଥିବା ଓ ସବୁକିଛି ବଝୁଥିବା ଜଣେ ଯୁବ ବିଧାୟକ ଅମରେଶ ଜେନା (ବାଇଁଆ)ଙ୍କୁ ପ୍ରତିଶ୍ରୁତି ଦେଇ ମେୟର ହେବାର ଗୋଲି ଦେଇଥିଲେ । ସେହିପରି ପୂର୍ବତନ ମେୟର ତଥା ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କୁ ମେୟର ହେବାର ଗୋଲି ଦେଇଥିଲେ । ଏହି ଦୁଇଜଣ ମୟେର ହେବାର ଗୋଲି ପାଇବା ପରେ ଦୁଇଜଣ ଆରମ୍ଭ କରିଦେଇଥିଲେ ନିଜ ନିଜର ଷ୍ଟାଟାଜି ।

କିନ୍ତୁ ଦଳ ମେୟର ପ୍ରାର୍ଥୀ ଚୟନ ପାଇଁ ଭୁବନେଶ୍ୱର ତିନିଜଣ ବିଧାୟକଙ୍କ ମତ ଲଢ଼ିଥିଲା । ସେଥିରେ ଅମରେଶ ଜେନା (ବାଇଁଆ)ଙ୍କୁ ବିଧାୟକ ଅନ୍ତନାରାୟଣ ଜେନା ବିରୋଧ କରିଥିଲେ ସେହିପରି ବିରଞ୍ଚି ନାରାୟଣ ମହାସୁପକାର (ଲିଟୁ)ଙ୍କୁ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିରୋଧ କରିଥିଲେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥଲା । ଗତକାଲି ମେୟର ମହିଳା ସଂରକ୍ଷିତ ହେବାପରେ ମେୟର ହେବାକୁ ଆଶା ବାନ୍ଧିଥିବା ଦୁଇ ଆଶାୟୀ ପ୍ରାର୍ଥୀଙ୍କ ଆଶା ମଉଳି ଯାଇଛି ଓ ତାଙ୍କ ସମର୍ଥକ ମାନଙ୍କ ଭିତରେ ଏଯାବତ ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତ ଘଟିଛି। ବିଶେଷ ସୂତ୍ରର ଖବର ଅନୁସାରେ ଗତକାଲି ବାଇଁଆ ଓ ଲିଟୁଙ୍କ ମଧ୍ୟରେ ଏକ ବୈଠକ ବସିଥିବା ସୂଚନା ମିଳିଛି । ଏପରିକି ଦୁଇଜଣଙ୍କ କଳିରୁ ତୃତୀୟ ବ୍ୟକ୍ତି ଫାଇଦା ଉଠାଇ ନେଇଥିବା ନେଇ ରାଜନୈତିକ ମହଲରେ ଟାହି ଟାପୁରା ହେଉଥିବା ଚର୍ଚ୍ଚା ହେଉଛି ।

Leave a comment