ଏଥର ଭକ୍ତ ଦର୍ଶନ କରିବେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ହାତୀବେଶ

0

ପୁରୀ : ଆସନ୍ତା ଜୁନ୍ ୧୪ରେ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏଥର ସ୍ନାନ ମଣ୍ଡପରେ ଭକ୍ତମାନେ ସନ୍ଧ୍ୟା ୬ଟାରୁ ରାତି ସାଢ଼େ ୯ଟା ଯାଏ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ ।

ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବ୍କମିଟି ବୈଠକ ପରେ ଛତିଶା ନିଯୋଗ ବୈଠକ ବସିଥିଲା । ସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ନୀତି ସବ୍କମିଟି ବୈଠକରେ ପ୍ରଥମେ ଆଲୋଚନା କରାଯାଇଥିଲା । ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଦୁଇବର୍ଷ ଧରି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ ସ୍ଥିତି ସୁଧୁରିଥିବାରୁ ଭକ୍ତଙ୍କ ଗହଣରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏଥିପାଇଁ ନୀତିକୁ ଶୃଙ୍ଖଳିତ କରିବା ଦିଗରେ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତ ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ବୈଠକରେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ଚୁଡ଼ାନ୍ତ ହୋଇଛି । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ସାଢ଼େ ୯ରୁ ସାଢ଼େ ୧୧ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨ଟା ୧୫ରେ ଛେରା ପହଁରା ଓ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ । ତେବେ ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ । ଜଳଲାଗି ଓ ହାତୀବେଶ ପରେ ଭକ୍ତମାନେ ବଡ଼ଦାଣ୍ଡରୁ ସ୍ନାନ ମଣ୍ଡପ ଉପରେ ବେଶ ଦେଖିବାର ସୁଯୋଗ ପାଇବେ ।

Leave a comment