ଏଥର +୨ ପରୀକ୍ଷା ହେବ କଡାକଡି; ପ୍ରଶ୍ନପତ୍ରରେ ଚିହ୍ନ ମାରିଲେ ପରୀକ୍ଷାର୍ଥୀ ହେବେ ଏମ୍‌ପି

0

କୋଭିଡ ଲାଗି ରାଜ୍ୟରେ +୨ ପରୀକ୍ଷାରେ ଅନେକ ସମସ୍ୟା ସୃଷ୍ଟି ହେବା ସହ ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି କିଛି ମାତ୍ରାରେ କୋହଳ ବ୍ୟବସ୍ଥା ଲାଗୁ କରାଯାଇଥିଲା । ମାତ୍ର ଚଳିତବର୍ଷ ପରୀକ୍ଷାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ନିୟମ କଡ଼ାକଡ଼ି କରିବାକୁ +୨ ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ପରୀକ୍ଷା ପରିଚାଳନା, ମୂଲ୍ୟାଙ୍କନ, ରେଜଲ୍ଟ ପ୍ରକାଶ ଆଦି ସବୁଥିରେ କଡ଼ାକଡ଼ି ନିୟମ କରାଯିବ ।

ବିଶେଷକରି ଏଥର ପ୍ରଶ୍ନପତ୍ରରେ କୌଣସି ପରୀକ୍ଷାର୍ଥୀ ଚିହ୍ନ ମାରିପାରିବେ ନାହିଁ । କେବଳ ପ୍ରଶ୍ନ ପଢ଼ିବେ ଏବଂ ଉତ୍ତରଖାତାରେ ଯାହା ଉତ୍ତର ଲେଖିବେ । ପ୍ରଶ୍ନପତ୍ରରେ କୌଣସି ଚିହ୍ନ ବା ଉତ୍ତର ଲେଖିପାରିବେ ନାହିଁ । ଏପରିକି ପ୍ରଶ୍ନପତ୍ରରେ କିଛି ଲେଖିଲେ ବା ଚିହ୍ନ ମାରିଲେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ଏମ୍‌ପି (ମାଲ୍ ପ୍ରାକ୍ଟିସ୍‌)କରାଯିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡ଼ିଛି ।

ଚଳିତବର୍ଷ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ପରୀକ୍ଷା ଦାୟିତ୍ୱରେ ଥିବା ଅଧ୍ୟାପକ, ଅଧ୍ୟାପିକାମାନେ ମଧ୍ୟ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାର୍ଡ ମେମ୍ବର, ଜିଲ୍ଲା ପ୍ରଶସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଟେଣ୍ଡେଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବାକୁ କଡ଼ା ନିୟମ କରାଯାଇଛି । ଏହାସହିତ ପରୀକ୍ଷା ଶେଷ ପୂର୍ବରୁ ପରୀକ୍ଷାକେନ୍ଦ୍ର ଛାଡ଼ିଲେ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ନିୟମ କରାଯାଇଛି ।

ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ଲାଗି ୨୦୨ଟି ହବ୍ କେନ୍ଦ୍ର ବ୍ୟବସ୍ଥା ହୋଇଛି । ପରୀକ୍ଷା ଶେଷ ହେବା ପରେ ସେହି ଦିନ ସନ୍ଧ୍ୟା ସୁଦ୍ଧା ପରୀକ୍ଷା କ୍ରେନ୍ଦ୍ରରୁ ଉତ୍ତର ଖାତା ହବ୍ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାରେ ନିଆଯାଇ ରଖାଯିବ । ହବ୍ ସୁପରିଟେଣ୍ଡେଣ୍ଟ ଏବଂ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ଉତ୍ତରଖାତା ଆଇରନ୍ ଚେଷ୍ଟ୍ ମଧ୍ୟରେ ରଖାଯିବ । ତେବେ ଯେଉଁ ପରୀକ୍ଷା କେନ୍ଦ୍ରଗୁଡିକ ହବ୍ ସେଣ୍ଟର ଠାରୁ ୧୦୦କିମି ଦୂରରେ ରହିଥିବ ଯଦି ପରୀକ୍ଷା ଶେଷ ହେବା ପରେ କୌଣସି ପରିସ୍ଥିତିରେ ଉତ୍ତରଖାତା ହବ୍‌କେନ୍ଦ୍ରରେ ଦାଖଲ କରାନଯାଏ ତେବେ ୨୪ଘଣ୍ଟା ମଧ୍ୟରେ ହବ୍‌ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ହବ୍‌କୁ ଉତ୍ତରଖାତା ନଯାଏ ତେବେ ସେଦିନ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବଳୟରେ ସମସ୍ତ ଖାତାକୁ ରଖାଯିବ । ସେହିପରି ଚଳିତବର୍ଷ ପ୍ରଥମ କରି ତ୍ରିସ୍ତରୀୟ କୋଡିଂ ବ୍ୟବସ୍ଥା କରାଯାଇଛି । ମୂଲ୍ୟାଙ୍କନରେ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ରାଜ୍ୟର କେଉଁ ଜିଲ୍ଲାର କେଉଁ ମୂଲ୍ୟାଙ୍କନ କେନ୍ଦ୍ରକୁ ପଠାଯିବ ତାହା ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।

ତେଣୁ ହବ୍ କେନ୍ଦ୍ରରୁ ସିଏଚ୍‌ଏସଇ୍ କାର୍ଯ୍ୟାଳୟକୁ ଉତ୍ତରଖାତା ଆସିବା ପରେ ଏଠାରେ ପ୍ରଥମ ପର୍ଯ୍ୟାୟ କୋଡିଂ କରାଯାଇ ଟ୍ୟାଗ ସେଣ୍ଟରକୁ ପଠାଯିବ । ସେଠାରେ ପୁଣି ପୂର୍ବ କୋଡିଂକୁ ବଦଳାଇ ରିକୋଡିଂ କରାଯିବ । ମୋଟ ଉପରେ ୩ ଥର କୋଡିଂ କରାଯିବା ପରେ ମୂଲ୍ୟାଙ୍କନ କେନ୍ଦ୍ରକୁ ଉତ୍ତରଖାତା ପଠାଯିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡ଼ିଛି । ସକାଳ ୯ଟା ୩୦ ସୁଦ୍ଧା ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ରରେ ପହଂଚିବ । ୧୦ଟାରେ ପରୀକ୍ଷା ଆରମ୍ଭ ହେବ । ୩୦ମିନିଟ ପୂର୍ବରୁ ପରୀକ୍ଷାର୍ଥି ମାନେ ହଲରେ ବସିବେ । ୧୦ଟାରେ ପ୍ରଶ୍ନପତ୍ର ବଣ୍ଟାଯିବ । ୧୫ମିନଟ୍ ମଧ୍ୟରେ ବଳକା ପ୍ରଶ୍ନପତ୍ର ସିଲ କରାଯିବ । ୧୦ଟା ୩୦ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।

Leave a comment

You cannot copy content of this page