ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ
ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । ରାଜ୍ୟ ସରକାରଙ୍କ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ନିର୍ବାଚନ ପାଇଁ ତାରିଖ ନଥିବା ସାମନାକୁ ଆସିବା ପରେ, ଏହା ସ୍ପଷ୍ଟ ହୋଇଛି । ତେବେ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ତେଜିଛି ଛାତ୍ର ଅଶାନ୍ତି । ବିଜେଡି ଛାତ୍ର ସଂଗଠନ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଥିବାବେଳେ ଏବିଭିପି, କଂଗ୍ରେସ, ଏଆଇଏସଏଫ ଭଳି ଛାତ୍ର ସଂଗଠନ ବିରୋଧ କରିଛନ୍ତି । ଆଗାମି ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
ଚଳିତ ବର୍ଷ କଲେଜ ଓ ୟୁନିଭରସିଟିରେ ଛାତ୍ର ସଂସଦ ନିର୍ବାଚନ ହେବନାହିଁ, ଏହା ଜାଣିବା ପରେ ଏଭଳି ଢଙ୍ଗରେ ତେଜିଛି ଛାତ୍ର ଅଶାନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରିବା ପରେ ଏହାକୁ ପୋଡି ପ୍ରତିବାଦ କରିଛି ଛାତ୍ର କଂଗ୍ରେସ । ନିର୍ବାଚନ ବନ୍ଦ ହେବା ଘଟଣାରେ ଛାତ୍ର କଂଗ୍ରେସ ସମେତ ଏବିଭିପି ଓ ଏଆଇଏସଏଫ୍ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ୨୪ ଘଂଟା ମଧ୍ୟରେ ନିଷ୍ପତି ବଦଳାଇବା ପାଇଁ ଛାତ୍ର କଂଗ୍ରେସ ଦାବି କରିଥିବା ବେଳେ ଏହି ପ୍ରସଙ୍ଗରେ ଆସନ୍ତା ୧୬ ତାରିଖରେ ବିଧାନସଭା ଆଗରେ ଗର୍ଜିବ ଏଆଇଏସଏଫ । ନିଷ୍ପତି ପରିବର୍ତନ ନହେଲେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଚେତାଇ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ଆଇନଗତ ଲଢେଇ କରିବାକୁ ସଜବାଜ ହେଉଛି ବିଜେପି ଯୁବ ମୋର୍ଚ୍ଚା ।
ଛାତ୍ର ସଂସଦ ନିର୍ବାଚନ ହେଲେ ବିଜୁ ଛାତ୍ର ଜନତା ଦଳର ଅସ୍ତିତ୍ୱ ହଜିଯିବ ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛି ବିସିଜେଡି । ଶେଷଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ଲିଙ୍ଗ୍ଡୋ କମିସନ ରିପୋର୍ଟକୁ ଆଳ କରି ସରକାର ଆଉ ଛାତ୍ର ସଂସଦ ନିର୍ବାଚନ କରୁନାହାନ୍ତି ବୋଲି ଅଭିଯୋଗ ହୋଇଆସୁଛି । ଚଳିତ ବର୍ଷ ନିର୍ବାଚନ କାହିଁକି ବନ୍ଦ ହେଲା, ଏ ନେଇ କିଛି ସ୍ପଷ୍ଟ କରିନଥିବାବେଳେ ଛାତ ଛାତ୍ରୀଙ୍କ ଭଲ ପାଇଁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
ମହାବିଦ୍ୟାଳୟ ହେଉ କିମ୍ବା ବିଶ୍ୱବିଦ୍ୟାଳୟ, ଅନୁଷ୍ଠାନର ଅନେକ ଆଭ୍ୟନ୍ତରୀଣ ସମସ୍ୟାକୁ ସାମ୍ନାକୁ ଆଣିବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରିଥାଏ ଛାତ୍ର ସଂସଦ । ଗାଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବାର ଅଭିଜ୍ଞତା ଛାତ୍ର ସଂସଦ ନିର୍ବାଚନରୁ ମିଳିଥାଏ ।