ପାଟକୁରାରେ ବିଜେଡ଼ି, ବିଜେପି କଡ଼ା ଟକ୍କର ପଛରେ ପଡ଼ିଛି କଂଗ୍ରେସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୪ ତାରିଖରେ ଭୋଟ ଗଣତି ହେବ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ତେବେ ଉଭୟ ବିଜେଡ଼ି ଓ ବିଜେପି ସମର୍ଥକ ଏବଂ ପ୍ରାର୍ଥୀଙ୍କ ମଧ୍ୟରେ ବେଶ ଉତ୍ସହ ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ଶିଥିଳ ପଡ଼ିଥିବା ଦେଖାଯାଉଛି ।
ଏହି ଆସନରେ ବିଜେଡି ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଟିକେଟ୍ ଦେଇଛି । ସେହିପରି କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନ ସ୍ଥଗିତ ରହିଥିବା ସତ୍ତ୍ୱେ ଉଭୟ ବିଜେଡି ଓ ଭାଜପା ଦଳୀୟ ସଭା, ରୋଡ୍ ଶୋ ଓ କର୍ମୀ ସମ୍ମିଳନୀ ଆଦି କରି ସମର୍ଥକଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା । କିନ୍ତୁ କଂଗ୍ରେସ ଏସବୁରେ ପଛରେ ପଡ଼ିଛି । ତେଣୁ ସବୁ ନିର୍ବାଚନରେ କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏଥର ବିଜେଡି ଓ ଭାଜପା ମଧ୍ୟରେ କଡ଼ା ହେବ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତେ ଭୋଟ ହାତେଇବା ପାଇଁ ଲାଗି ପଡ଼ିଛନ୍ତି । ରଥଯାତ୍ରା ସମୟରେ ଉଭୟ ବିଜେଡି ଓ ଭାଜପା ପ୍ରାର୍ଥୀ ଏବଂ କର୍ମୀମାନେ ବିଭିନ୍ନ ମନ୍ଦିରରେ ପହଞ୍ଚି ଶ୍ରଦ୍ଧାଳୁଙ୍କ ନିକଟତର ହେଉଥିବା ବେଳେ ଭୋଟ ଭିକ୍ଷା କରିଛନ୍ତି । ସାବିତ୍ରୀଙ୍କ ପାଇଁ ପ୍ରଚାର କରିବାକୁ ରାଜ୍ୟର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଓ ବିଧାୟକ ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ଗ୍ରାମରେ ବୁଲି ପ୍ରଚାର ଆରମ୍ଭ କରିଥିବା ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ସେହିପରି ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ପହିଲି ରଜ ଦିନ ବିଜୟଙ୍କ ପାଇଁ ପାଟକୁରାରେ ପ୍ରଚାର କରିଥିବା ବେଳେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ବରିଷ୍ଠ ନେତୃମଣ୍ଡଳୀ ପାଟକୁରାରେ ପହଞ୍ଚି ବିଜୟଙ୍କ ପାଇଁ ପ୍ରଚାର କରିବେ ବୋଲି ବରିଷ୍ଠ ଭାଜପା ନେତା ଗଣେଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି ।