ସାମୁଦ୍ରିକ ଝଡ଼ ପ୍ରଭାବ, ୩ ଦିନ ପ୍ରବଳ ବର୍ଷିବ, ଚିନ୍ତାରେ ଚାଷୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଘୁର୍ଣ୍ଣିଝଡ ପେଥାଇ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଏହି ସାମୁଦ୍ରିକ ଝଡ଼ ଦକ୍ଷିଣ ପୂର୍ବ ଚେନ୍ନାଇ ଉପକୂଳରୁ ୪୪୦ କି.ମି ଏବଂ ଦକ୍ଷିଣ-ପୂର୍ବ ଆନ୍ଧ୍ର ପ୍ରଦେଶର ମଚ୍ଛିଲିପଟ୍ଟନମଠାରୁ ୮୯୦ କି.ମି ଦୂରରେ ଝଡ଼ କେନ୍ଦ୍ରୀଭୂତ ହୋଇଛି । ରବିବାର ଏହି ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳ ଓଙ୍ଗଲ ଏବଂ କାକିନଡ଼ା ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ଆସନ୍ତା ୧୬,୧୭ ଓ ୧୮ ତିନିଦିନ ଧରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୩ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ଗୋପାଳପୁର, ଚାନ୍ଦାବଲି, ପୁରୀରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଓଡ଼ିଶା ପ୍ରତି ପବନର ଭୟ ନ ଥିଲେ ମଧ୍ୟ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ବାତ୍ୟାଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳମାନଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି । ଅମଳ ସମୟ ହୋଇଥିବାରୁ ତୁରନ୍ତ ବିଲରୁ ଧାନ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।
ଅପରପକ୍ଷରେ ବର୍ଷା ଭୟ ଚାଷୀର ନିଦ ହଜାଇଦେଇଛି । କୋରାପୁଟ ବର୍ଷାରେ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଚାଷୀ ଆତଙ୍କିତ ହୋଇପଡିଛି । ପାଗ ପରିବର୍ତ୍ତନ ହୋଇସାରିଲାଣି । ଏହାକୁ ଦେଖି ଚାଷୀ ଅମଳ ଶସ୍ୟ ଘୋଡାଇ ସାଇତିବାରେ ଲାଗିଛି । ଧାନ ସାଇତି ରଖିବାକୁ ଶ୍ରମିକ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢିଯାଇଛି । ବର୍ଷା ରେ ଧନ ନଷ୍ଟ ହୋଇଯିବାକୁ ନେଇ ଚାଷୀ ଧାନକୁ ଖଳାକୁ ଆଣି ଘୋଡାଇ ରଖୁଥିବାବେଳେ ଧାନ ଆଉ ନ କାଟିବାକୁ ପ୍ରଶାସନ ପରାମର୍ଶ ଦେଇଛି । ବର୍ତ୍ତମାନ ଚାଲିଥିବା ଖରିଫ ମଣ୍ଡିରୁ ସମସ୍ତ ଧାନକୁ ଉଠାଯାଇଥିବାବେଳେ ବାକି ଧାନକୁ ଘୋଡାଇ ରଖିବାକୁ କୁହାଯାଇଛି । ସେହିପରି ଡାକବାଜି ଯନ୍ତ୍ର ସାହାଯ୍ୟରେ ଚାଷୀଙ୍କୁ ସୂଚନା ଦିଆଯାଉଛି ।