ମୁଖ୍ୟମନ୍ତ୍ରୀ ରେସରେ ଗିରିଶ ମୁର୍ମୁଙ୍କ ନାମକୁ ନେଇ ଚର୍ଚ୍ଚା
ଓଡ଼ିଶାରେ ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ତେଣୁ ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ବିଜେପି ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ କଳ୍ପନା ଜଳପାନ ଆରମ୍ଭ ହୋଇଯାଇଛି। ତେବେ ଏହି ଭିତରେ ଗିରିଶ ମୁର୍ମୁଙ୍କ ନାମ ରେସରେ ଯୋଡି ହୋଇଛି । ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ପାଖରେ ନାହିଁ।
ସେଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ବର ଗତାନୁଗତିକ ପୂର୍ବ ଢାଞ୍ଚାକୁ ମନେହୁଏ ଯେପରି ଓଡ଼ିଶାରେ ମଧ୍ୟ ମନୋହରଲାଲ୍ ଖଟ୍ଟରଙ୍କ ଭଳି ଅଜଣା, ଅଶୁଣା କିନ୍ତୁ ଗ୍ରହଣୀୟ ବିଧାୟକ ନେତୃତ୍ବ ନେବାର ସମ୍ଭାବନା ରହିଛିI
ଲୋକ ସଭାର ସ୍ଥିତିକୁ ଦେଖିଲେ ୫୪୩ ଆସନରୁ ଭାଜପା ମୋଟ୍ ୨୪୦ ସିଟ୍ ହାସଲ କରିପାରିଛି। ଏକାକୀ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୨୭୨। ଅର୍ଥାତ୍ ବିଜେପି କେନ୍ଦ୍ରରେ ମିଳିତ ସରକାର କରିବାକୁ ବାଧ୍ୟ ହେବ। ସେଥିପାଇଁ ବିଜେପିର ଯିଏ ବି ପ୍ରଧାନମନ୍ତ୍ରୀ ହେବେ, ସେହି ବ୍ୟକ୍ତି କେବେହେଲେ ଜିତିଥିବା ଲୋକ ସଭା ପ୍ରାର୍ଥୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ ହେବା ପାଇଁ ସୁଯୋଗ ଦେବେ ନାହିଁ। କାରଣ ବର୍ତ୍ତମାନ ଲୋକ ସଭାରେ ବିଜେପିର ଉପୁଜିଥିବା କଠିନ ପରିସ୍ଥିତି ଯୋଗୁ ଗୋଟିଏ ବି ଆସନ ହଲ୍ଚଲ ହେଉ ବୋଲି ଚାହିଁବେ ନାହିଁ।
ସେ ଦୃଷ୍ଟିରୁ ବିଧାନସଭାକୁ ଜିତିଥିବା ପ୍ରାର୍ଥୀଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। କିଏ ହେବେ ତାହା ଏବେ କହିବା ଅସମ୍ଭବ। ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ଭୂପେନ୍ଦ୍ର ଯାଦବ ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି।