ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ୫୮୭୪ ଟି ଶ୍ରେଣୀଗୃହ

ରାଜ୍ୟର ୨୦୯୮ ସ୍କୁଲର ୫୮୭୪ ଟି ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ୩୭୭ ଟି ବିଦ୍ୟାଳୟରେ ପାଚେରୀ ନାହିଁ । ବିଜେପି ବିଧାୟକ ନାଉରୀ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, “୨୦୨୦-୨୧ ତଥ୍ୟ ଅନୁଯାୟୀ ରାଜ୍ୟରେ ସମୁଦାୟ ୫୦୮୦ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭୦୬୭ ଟି ଶ୍ରେଣୀ ରହିଛି । ତନ୍ମଧ୍ୟରୁ ୨୦୯୮ ଟି ବିଦ୍ୟାଳୟର ୫୮୭୪ ଟି ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ୩୭୭ ଟି ବିଦ୍ୟାଳୟରେ ପାଚେରୀ ନାହିଁ । ଜରାଜୀର୍ଣ୍ଣ ପୁରୁଣା ଶ୍ରେଣୀ ଗୃହଗୁଡିକର ଆବଶ୍ୟକୀୟ ମରାମତି କାର୍ଯ୍ୟ ବିଦ୍ୟାଳୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଆକଳନ କରାଯାଏ । ଆବଶ୍ୟକତା ଅନୁସାରେ ନୂତନ ଶ୍ରେଣୀଗୃହ ନିର୍ମାଣ ଏବଂ ପାଚେରୀ ନିର୍ମାଣ ନିମନ୍ତେ ହାରାହାରି ୧୦୦୫.୭୮୮୪ କୋଟି ଅର୍ଥର ଆବଶ୍ୟକତା ରହିଛି ।”
ସମଗ୍ର ଶିକ୍ଷା ଯୋଜନାରେ ସମ୍ପୃକ୍ତ ଶ୍ରେଣୀଗୃହର ମରାମତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ହେଉଥିବା ଅର୍ଥ ଆକଳନ କରି ଆସନ୍ତା ଆର୍ଥିକ ବର୍ଷ ୨୦୨୩-୨୪ରେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ । ଉକ୍ତ ପ୍ରସ୍ତାବ ଅନୁମୋଦନ ହେବା ପରେ ତଦନୁଯାୟୀ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ବିଦ୍ୟାଳୟଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ତଥା କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ସମଗ୍ର ଶିକ୍ଷା ଯୋଜନାରେ ୨୦୧୨/୨୩ରୁ ୨୦୨୫/୨୬ ଆର୍ଥିକ ବର୍ଷ ମଧ୍ୟରେ ୫୩୦୬ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ ୨୦୨୨/୨୩ ରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ କୌଣସି ଅନୁମୋଦନ ମିଳିନାହିଁ । ଉକ୍ତ ପ୍ରସ୍ତାବ ଅନୁମୋଦିତ ହେବା ପରେ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।