ସମଲେଶ୍ବରୀ ମନ୍ଦିରରେ ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ସମଲେଇ ପ୍ରୋଜେକ୍ଟର ବିକାଶ କାମର ସମୀକ୍ଷା

0

ସମ୍ବଲପୁର: ସମ୍ବଲପୁରରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମଲେଶ୍ବରୀ ମନ୍ଦିର ବିକାଶ କାମର କରିବେ ସମୀକ୍ଷା ।
ସେମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନ୍ନିଲ୍ କ୍ରୀଷ୍ଣା, ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ସିଂହ ଓ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ବି ମନ୍ଦିର ଭିତରକୁ ଯାଇ ମନ୍ଦିର ବିକାଶ କାମର ସମୀକ୍ଷା କରିଥିବା ଜଣାଯାଇଛି।
ଏହାପରେ ସେମାନେ ମହାନଦୀରେ ଥିବା ଆଳତି ଘାଟର ପରିଦର୍ଶନ କରିଥିଲେ। ଏଠାରେ ପହଞ୍ଚିବା ପରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ବରିଷ୍ଠ ଅଧିକାରୀମାନଙ୍କୁ ସ୍ବାଗତ କରିଥିଲେ।
ଉଲ୍ଲେଖଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜୀରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ । ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ପାଇଁ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଙ୍ଗ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା ରଖାଯିବ । ମନ୍ଦିରରୁ ମହାନଦୀ ଘାଟକୁ ସୁବିଧାରେ ଯାଇପାରିବେ, ସେଥିପାଇଁ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ। ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମାଙ୍କ ମନ୍ଦିର ସ୍ପଷ୍ଟ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତୀ ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ । ଫୁଡ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଂଗମଞ୍ଚର ବ୍ୟବସ୍ଥା ରହିବ |
ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀ ର ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାର୍ଶ୍ବକୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ । ଯାହାଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଜନସାଧାରଣଙ୍କ ପାଇଁ ବିଚାର କରି ଏକ ଉଦାର ଥଇଥାନ ଓ ପୁନର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି । ଏଥିରେ ଘରୋଇ ଜମିରେ ଘର ସରକାରୀ ଜମିରେ ଥିବା ବସ୍ତି, ବାସଗୃହ, ଦୋକାନ ଘର, ବ୍ୟବସାୟୀମାନଙ୍କ ପାଇଁ ପ୍ୟାକେଜରେ ବିସ୍ତୃତ ବ୍ୟବସ୍ଥା ରଖାଯିବ।

Leave a comment