ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଅବପାତ କାଲି ନେଇପାରେ ବାତ୍ୟାର ରୂପ । ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ। ଆସନ୍ତାକାଲି ସଂଧ୍ୟା ସଂଧ୍ୟା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୦ ତାରିଖରେ ପହଞ୍ଚିପାରେ ଉତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ । ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ, ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଲ୍ୟାଣ୍ଡଫଲ୍ ସ୍ଥାନ ନିରୁପଣ ହୋଇନାହିଁ। ବାତ୍ୟା କେତେବେଳେ କେଉଁ ଉପକୂଳ ଅତିକ୍ରମ କରିବ ତାହା ଆଜି ସ୍ପଷ୍ଟ ହେବ। ତେବେ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ। ଯାହାକି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ସମୁଦ୍ର। ତେଣୁ ଏହି ସମୟରେ ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବା ସହିତ ପବନର ବେଗ ଅଧିକ ରହିବ।
ଏନେଇ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନ୍ୟ ଦେଶ ଗୁହିକ ତୁଳନାରେ ସର୍ବଦା ନିର୍ଭୁଲ ଏବଂ ସଠିକ ଥାଏ ବୋଲି କହିଛନ୍ତି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।