ସତ ଉଗାରି ପାରିଲାନି ଲାଏ ଡିଟେକ୍ସନ୍
ନକଲି ଡାକ୍ତର ରମେଶ ମାମଲା

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁଠାରୁ ବହୁ ଚେଷ୍ଟା କରି ବି ସତ ଉଗାରି ପାରିନଥିଲେ ବରିଷ୍ଠ ପୁଲିସ ଅଧିକାରୀମାନେ । ବାରମ୍ବାର ସମସ୍ତଙ୍କୁ ମିଛ କହି ଭୂଆଁ ବୁଲାଇଥିଲା। ଏବେ ମିଛଧରା ଯନ୍ତ୍ରକୁ ବି ସେ ଖାତିର କରିନାହିଁ। ମିଛଧରା ଯନ୍ତ୍ର ଆଗରେ ବି ସେ ଠୋ ଠା କରି କେବଳ ମିଛ ହିଁ କହିଥିବା ଜଣାପଡ଼ିଛି। ଆଜି ମିଳିଥିବା ଲାଏ ଡିଟେକ୍ସନ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେଣୁ ତା’ଠାରୁ ସତ ଉଗାରିବା ପାଇଁ ପୁଲିସର ସବୁ ଉଦ୍ୟମ ବିଫଳ ହୋଇଥିବା କୁହାଯାଉଛି। ତେବେ ଶେଷ ଚେଷ୍ଟା ଜାରି ରଖିଛି ପୁଲିସ। ତାକୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଅଣାଯାଇଛି। ତା’ର ମୁଖ୍ୟ ସହଯୋଗୀ ବିଶ୍ବରଞ୍ଜନକୁ ମଧ୍ୟ ଏହି ରିମାଣ୍ଡରେ ଅଣାଯାଇଛି। ସେମାନଙ୍କୁ ମୁହାଁମୁହିଁ ଜେରା କରି ପୁଲିସ ସତ ବାହାର କରିବ ବୋଲି ଆଶା କରିଛି।
ରମେଶକୁ ଗିରଫ କରାଯିବା ପରଠାରୁ ବିଭିନ୍ନ ସମୟରେ ରିମାଣ୍ଡ୍ରେ ଅଣାଯାଇଥିଲା। ସବୁଥର ଜେରା ବେଳେ ତା’ର ଉତ୍ତର ସନ୍ତୋଷଜନକ ନଥିଲା। ମହା ଧୂର୍ତ୍ତ ରମେଶ ପୁଲିସ ପ୍ରଶ୍ନକୁ ବଡ଼ ଚତୁରତାର ସହ ଏଡ଼ାଇ ଚାଲିଥିଲା। ସେ ମିଛ କହୁଛି ବୋଲି ପୁଲିସ ଜାଣୁଥିଲେ ବି କିଛି ଉପାୟ ନଥିଲା। ତେଣୁ ପୁଲିସ ଶେଷ ଅସ୍ତ୍ର ଭାବେ ଷ୍ଟେଟ୍ ଫୋରେନ୍ସିକ୍ ଲାବରେଟୋରିରେ ଲାଏ ଡିଟେକ୍ସନ ପରୀକ୍ଷା କରାଇଥିଲା। ମିଛଧରା ଯନ୍ତ୍ର ଆଗରେ ରମେଶ ସତ କହିବାକୁ ବାଧ୍ୟ ହେବ ବୋଲି ପୁଲିସ ଭାବିଥିଲା। ତେଣୁ ବିବାହ ଠାରୁ ଆରମ୍ଭ କରି ଆର୍ଥିକ କାରବାର, ଠକେଇ, ତା’ ସହ ସମ୍ପୃକ୍ତ ଅନ୍ୟମାନଙ୍କୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଭିନ୍ନ ଦିଗ ଉପରେ ପ୍ରାୟ ଶହେରୁ ଅଧିକ ପ୍ରଶ୍ନ କରାଯାଇଥିଲା। ମାତ୍ର ପୁଲିସ ଆଶା ସେମିତି ଆଶାରେ ରହିଗଲା। ଧୂର୍ତ୍ତ ରମେଶ ମିଛଧରା ଯନ୍ତ୍ର ସମ୍ମୁଖରେ ବି ମିଛଗୁଡ଼ା କହିଚାଲିଲା। ଆଜି ଏମିତି ଫୋରେନ୍ସିକ୍ ରିପୋର୍ଟ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ବିସ୍ମିତ କରିଛି।