ମିଡିଆ ଓ ପୁଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦା

ଟିଭି ବିତର୍କରେ ଅପରାଧ ପ୍ରମାଣକୁ ଲିକ୍ କରନାହିଁ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କୌଣସି ଏକ ଅପରାଧ ସମ୍ପର୍କରେ ଟିଭି ଚ୍ୟାନେଲରେ ବିତର୍କ ଚାଲିଥିବାବେଳେ ପ୍ରମାଣଗୁଡିକୁ ଲିକ୍ ନକରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମିଡିଆ ଓ ପୁଲିସକୁ ତାଗିଦା କରାଯାଇଛି । ଏଭଳି କାର୍ଯ୍ୟ ଦ୍ୱାରା ଅପରାଧିକ ନ୍ୟାୟ ବ୍ୟବସ୍ଥାର ଉଲ୍ଲଂଘନ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଗତ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରାୟକୁ ଭିତ୍ତିକରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ୧୯୯୯ରେ ବେଙ୍ଗାଲୁରୁରେ ଘଟିଥିବା ଏକ ଡକାୟତି ମାମଲାରେ ୪ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସରକାରୀ ଓକିଲଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ପ୍ରମାଣଗୁଡିକ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କର୍ଣ୍ଣାଟକର ଏକ ନିମ୍ନ ଅଦାଲତ ପ୍ରଥମେ ଏହି ଘଟଣାରେ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାବେଳେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ । ପୁଲିସ ଦ୍ୱାରା ରେକର୍ଡ କରାଯାଇଥିବା ପ୍ରମାଣଗୁଡିକର ଡିଭିଡିକୁ କର୍ଣ୍ଣାଟକର ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ କରାଯାଇଥିଲା । ଏହା ସଂପୃକ୍ତ ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟପରାୟଣତା ଓ ଦାୟିତ୍ୱବୋଧ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ବୋଲି ଜଷ୍ଟିସ ୟୁ.ୟୁ.ଲଳିତ ଓ ଜଷ୍ଟିସ ପି.ଏସ୍.ନରସିଂହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି । କୋର୍ଟରେ ବିଚାରାଧୀନ ଥିବା କୌଣସି ମାମଲା ସମ୍ପର୍କରେ ଟିଭି ଚ୍ୟାନେଲରେ ପ୍ରମାଣ ଉପସ୍ଥାପନ କରାଯିବା ଦ୍ୱାରା ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସିଧାସଳଖ ହସ୍ତକ୍ଷେପ ଭାବେ ବିବେଚନା କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ।

Leave a comment