ଦକ୍ଷିଣ କୋରିଆରେ କରୋନା ସ୍ଥିତି ଚିନ୍ତାଜନକ
୩ ଦିନରେ ୧୪ ଲକ୍ଷ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ : କରୋନା ସଂକ୍ରମଣର ଏବେ ଦକ୍ଷିଣ କୋରିଆରେ ତାଣ୍ଡବ ରଚିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ଲକ୍ଷ ଅତିକ୍ରମ କରିସାରିଛି । ଅର୍ଥାତ ୧୪ ଲକ୍ଷ ଲୋକ କେବଳ ୩ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ଠାରୁ ଶନିବାର ମଧ୍ୟରେ ଦକ୍ଷିଣ କୋରିଆରେ ୧୪ ଲକ୍ଷ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ତେବେ ଦକ୍ଷିଣ କୋରିଆରେ ଯେଭଳି ଭାବେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି, ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।
ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରେ କରୋନା ଭାଇରସର ଲହର ଚିନ୍ତାଜନକ ଭାବେ ବଢ଼ିଚାଲିଛି । ଦକ୍ଷିଣ ପୂର୍ବ ଏସିଆ କଥା ଯଦି ଚିନ୍ତା କରିବା ତା’ହେଲେ ୧୪ ମାସ ପରେ ଚୀନରେ କରେନା ପୁଣି ଥରେ ସକ୍ରିୟ ହୋଇଉଠିଛି । ହଙ୍ଗକଙ୍ଗ୍ରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି । ଏହି ସଂକ୍ରମଣ ଏପର୍ଯ୍ୟନ୍ତ ୫୪୦୧ ଜଣଙ୍କର ଜୀବନ ନେଇସାରିଛି ।
ଭାରତରେ କରୋନାର ଏପର୍ଯ୍ୟନ୍ତ ୩ଟି ଲହର ଅତିକ୍ରମ କରିସାରିଥିବା ବେଳେ ୪ର୍ଥ ଲହର ଆଶଙ୍କା ଦେଖାଯାଇଛି । ୟୁରୋପର ଫ୍ରାନ୍ସ, ଇଂଲଣ୍ଡ ଏବଂ ଇଟାଲିରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ୩୦ ପ୍ରତିଶତରୁ ଅଧିକ ବଢ଼ିଛି । ବିଶ୍ୱବ୍ୟାପୀ ଦୈନିକ ସଂକ୍ରମଣ ମଧ୍ୟ ବଢ଼ିଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ୧୨ ପ୍ରତିଶତ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଜାରି କରିଛି ।