ଅଶାନ୍ତ ରହିବ ସମୁଦ୍ର, ପବନର ବେଗ ବଢିବ

0

ଭୁବନେଶ୍ୱର: ପାଖେଇ ଆସୁଛି ଆସାନି । ଅଶାନ୍ତ ହେଲାଣି ସମୁଦ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ଆସନ୍ତା ୮ ତାରିଖ ସୁଦ୍ଧା ବାତ୍ୟାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ । ୮ ତାରିଖ ବେଳକୁ ପବନର ବେଗ ବଢ଼ି ୫୫ ରୁ ୬୫ km ପ୍ରତି ଘଣ୍ଟା ହୋଇପାରେ । ତେଣୁ ମତ୍ସଜୀବୀକୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟାର ଆକଳନ କରାଯିବ । ଲ୍ୟାଣ୍ଡଫଲ୍ ନେଇ କୌଣସି ସୂଚନା ଦିଆଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି IMD, ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ଆସାନି ଓଡ଼ିଶାଠୁ ଏହା ଅନେକ ଦୂରରେ ରହିଛି। ତେଣୁ ଏବେଠୁ ଏହା ବିଷୟରେ କୁହାଯାଇ ପାରିବ ନାହିଁ । ବର୍ତ୍ତମାନ ରାଜ୍ୟରେ ଯେଉଁ ବର୍ଷା ହେଉଛି ତାହା କାଳବୈଶାଖୀ ଜନିତ ବର୍ଷା । ଘୂର୍ଣ୍ଣିବଳୟ ସହ ଏହାର କୌଣସି ସମ୍ପର୍କ ନାହିଁ । କାଳବୈଶାଖୀ ପ୍ରଭାବରେ ଆକାଶ ମେଘାଚ୍ଛନ ରହିବା ସହ କିଛି ସ୍ଥାନରେ ବର୍ଷା ହେଉଛି । ଅବପାତରେ ପରିଣତ ହେଲା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର ।

Leave a comment