ଆଜି ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାର ଶୁଣାଣି
ଭୁବନେଶ୍ୱର: ଆଜି ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାର ଶୁଣାଣି ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୂରଲୀଧର ଓ ଜଷ୍ଟିସ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲା ଉପରେ ଶୁଣାଣି ହେବ। ପୂର୍ବରୁ ହୋଇଥିବା ଶୁଣାଣି ସମୟରେ ଏ ସମ୍ବନ୍ଧରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା।
ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଙ୍ଗକୁ ନେଇ ୨୦୧୯ରେ ଜଗନ୍ନାଥ ବସ୍ତିଆ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହାପରେ ୨୦୨୦ରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର ହାଇକୋର୍ଟରେ ଏ ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ ।
ସାବକ ରେକର୍ଡରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ରହିଥିବା ବେଳେ ଏହା ଠାକୁରଙ୍କ ଅମୃତମଣୋହି ସଂପତ୍ତି ବୋଲି ଉଲ୍ଲେଖ ରହିଛି । ପରବର୍ତ୍ତୀ ସମୟରେ ଏହି ଜମିକୁ ପୁରୀ ଲଜିଂ ହାଉସ କମିଟି ନାଁରେ ରେକର୍ଡ କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ପରିଚାଳନା ଭାର କେବଳ ମନ୍ଦିର ପରିଚାଳନା କମିଟି ହାତରେ ରହିବା ନିୟମ ରହିଛି ବୋଲି କୋର୍ଟରେ ଦର୍ଶାଯାଇଥିଲା।