ଓଡ଼ିଶା ମଡେଲ୍ ଆଜି ଦେଶପାଇଁ ଆଦର୍ଶ: ନବୀନ

‘ଦ ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ କନକ୍ଲେଭ୍-୨୦୨୨'

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚଦିନିଆ ଗସ୍ତରେ ନୂଆଦିଲ୍ଲୀ ଯାଇଛନ୍ତି । ଶନିବାର ସେ ବିଜ୍ଞାନ ଭବନ ଠାରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀରେ ଯୋଗଦେବେ । ଏଥିସହ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ବାବଦରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ । ତେବେ ଆଜି ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ‘ଦ ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ କନକ୍ଲେଭ୍-୨୦୨୨’ରେ ଯୋଗଦେଇ ଓଡ଼ିଶା ମଡେଲ୍ର ସଫଳତା ବଖାଣିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେବେଳେ ମୁଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲି, ୧୯୯୯ ସୁପର ସାଇକ୍ଲୋନ୍ ପରେ ରାଜ୍ୟ ଏକ ଭୟଙ୍କର ସଙ୍କଟ ଦେଇ ଗତି କରୁଥିଲା। ରାଜ୍ୟର ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡି଼ଥିଲା ଏବଂ ଦରମା ଦେବାକୁ ମଧ୍ୟ ଟଙ୍କା ନଥିଲା। ବିକାଶ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଓଡ଼ିଶାର ଲୋକମାନେ ଆମର ଉତ୍ତମ ଶାସନକୁ ପ୍ରଶଂସା କରି କ୍ରମାଗତ ପାଞ୍ଚଥର ପାଇଁ ଆମ ଦଳ ଉପରେ ସେମାନଙ୍କର ବିଶ୍ୱାସକୁ ପୁନଃସ୍ଥାପିତ କରିଛନ୍ତି । ଆମର ଶାସନର ଆଦର୍ଶ ହେଉଛି ଏକ ନୂତନ ଓଡ଼ିଶା ଗଠନ ଲକ୍ଷ୍ୟରେ ପରିବର୍ତ୍ତନଶୀଳ ଶାସନ ଯୋଗାଇବା । ଆମର ଶାସନର ନୀତିଗୁଡି଼କ ୫-ଟିରେ ସର୍ବୋତ୍ତମ ଭାବରେ ବ୍ୟାଖ୍ୟା କରାଯାଇଛି । ଯଥା ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍ ୱର୍କ, ସମୟ ଏବଂ ପରିବର୍ତ୍ତନ । ଶାସନରେ ସ୍ୱଚ୍ଛତା ଆମ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ । ଦୁର୍ନୀତି ପ୍ରତି ଆମେ ଏକ ଶୂନ୍ୟ-ସହନଶୀଳତା ପଦ୍ଧତି ଅନୁସରଣ କରୁଛୁ । ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ।

ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ଜନସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଆମେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରୁଛୁ । ଉଦାହରଣ ସ୍ୱରୂପ, ସଚିବାଳୟ କାମ ସମ୍ପୂର୍ଣ୍ଣ ରୂପେ ଅନଲାଇନରେ ଚାଲିଛି । ଓଡ଼ିଶାରେ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ କରାଯାଉଛି । ଟେକ୍ନୋଲୋଜି ଯୋଗୁଁ କାଳିଆ ପରି କୃଷକ ସଶକ୍ତୀକରଣ ସ୍କିମ୍ ଅଳ୍ପ ସମୟ ମଧ୍ୟରେ ଆରମ୍ଭ କରାଯାଇ କାର୍ଯ୍ୟକାରୀ କରାଯାଇପାରିଛି ।
ମିଶନ୍ ଶକ୍ତି ପରି ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଆମର ଚାଲିଛି । ଓଡ଼ିଶାରେ ୭୦%ରୁ ଅଧିକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ହେଉଛନ୍ତି ମହିଳା । ମିଳିତ ଭାବରେ, ଆମେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରି ଜାତୀୟ ଏବଂ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିଛୁ । ଖଣି ଏବଂ ଖଣିଜ ଭିତ୍ତିକ ଶିଳ୍ପରେ ଆମେ ଶୀର୍ଷରେ ରହିଛୁ । ଦକ୍ଷତା ବିକାଶ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ସ୍ୱାସ୍ଥ୍ୟ ଅଭିଯାନ, ଜାଗା ମିଶନ୍ ଭଳି ସହରାଞ୍ଚଳ ପ୍ରକଳ୍ପ, ଟ୍ୟାପ୍ ଯୋଗେ ପାନୀୟ ଜଳ, ଆର୍ôଥକ ପରିଚାଳନା, ଖାଦ୍ୟ ନିରାପତ୍ତା, ମେଗା ପାନୀୟ ଜଳ ପ୍ରକଳ୍ପ, ବିଜୁ ଏକ୍ସପ୍ରେସ ୱେ ପରି ସଡ଼କ ସଂଯୋଗ ଇତ୍ୟାଦି ଓଡ଼ିଶାର ଚିତ୍ର ବଦଳାଇପାରିଛି ।

Leave a comment