ସୋମବାର କେରଳ ଛୁଇଁବ ମୌସୁମୀ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ, ମେ ୨୭ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲରେ ନିର୍ଦ୍ଧାରିତ ତାରିଖରୁ ୪ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ ବୋଲି ଆକଳନ କରାଯାଇଥିଲା।

ସାଧାରଣ ଭାବେ ଜୁନ ୧ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ବର୍ତ୍ତମାନ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରରେ ସକ୍ରିୟ ଥିବାରୁ ଦକ୍ଷିଣ-ପୂର୍ବ ଆରବ ସାଗର ଓ କେରଳ ଉପକୂଳରେ ବାଦଲ ଘନୀଭୂତ ହେଉଛି। ତା’ସହିତ ପଶ୍ଚିମାବାୟୁର ତୀବ୍ରତା ମଧ୍ୟ ବୃଦ୍ଧି ପାଉଛି। ପାଣିପାଗରେ ଏସବୁ ପରିବର୍ତ୍ତନ ଯୋଗୁଁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ୧୨ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଗତକାଲି ପରି ପୁଣି ଆଜି ବୌଦ୍ଧ ସହର ୪୩ ଡିଗ୍ରୀ ତାପମାତ୍ରା ସହ ଉତ୍ତପ୍ତ ସହର ପାଲଟିଛି। ତା’ ତଳକୁ ସୁବର୍ଣ୍ଣପୁର ୪୨.୬, ପାରଳାଖେମୁଣ୍ଡି ୪୦.୮, ବରଗଡ ୪୧, ନୂଆପଡା ୪୦, ମାଲକାନଗିରି ୪୦.୫, ଟିଟିଲାଗଡ ୪୧, ବଲଙ୍ଗୀର ୪୧.୭, ସୁନ୍ଦରଗଡ ୪୦, ହୀରାକୁଦ ୪୦.୫, ସମ୍ବଲପୁର ୪୧.୨, ଝାରସୁଗୁଡା ୪୦.୮, ଭୁବଶ୍ବେର ୩୭.୯ ଏବଂ କଟକରେ ୩୯ ଡିଗ୍ରୀ ପାରଦ ରେକର୍ଡ ହୋଇଛି।

Leave a comment