ଦଶମୂଳମୋଦକ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ

0

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କଠାରେ ଦଶମୂଳମୋଦକ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଛନ୍ତି । ଚନ୍ଦନରେ କର୍ପୂର, କେଶର ଓ କସ୍ତୁରୀ ମିଶାଇ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଛି । ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯାଇଥିଲା ।

ଆଜି ଅଣସର ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ସକାଳଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ। ଆଜି ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟ ସେବକ ଗଜପତିଙ୍କୁ ପ୍ରଦାନ କରାଯିବ ।

ସେପଟେ ରଥନିର୍ମାଣ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭୋଇ ସେବକମାନେ ସପ୍ତମ ହରିବୋଲ ପକାଇ ତିନିରଥ ଉପରକୁ ଚାରୋଟି ଦୁଆରବେଢା ଉଠାଇଛନ୍ତି । ଏହାସହ ରଥଚାଳି ମଧ୍ୟ ଭଙ୍ଗା ଯାଇଛି ।

Leave a comment