‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ, ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

0

ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ । ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ମଙ୍ଗଳବାର ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ । ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ । ପ୍ରତି ଗାଁ ପାଇବେ ୧୦ ଲକ୍ଷ ଟଙ୍କା ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ପ୍ରସାରିତ କରିବ ଏବଂ ଗଢିବ ଆମ ଓଡିଶା ନବୀନ ଓଡିଶା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ, ଓ୍ବାର୍କସ୍ ହବ୍ ହେବ, ବ୍ୟାଙ୍କିଙ୍ଗ ସୁବିଧା ମିଳିବ । ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟ ସାମିଲ ହେବ । ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ-ଭଉଣୀମାନଙ୍କ ପାଇଁ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କେନ୍ଦୁଝରର ୬ଟି ନିର୍ବାଚନ ମଣ୍ଡଳୀର ୨୯୭ଟି ଗ୍ରାମ ପଞ୍ଚାୟତର ୩୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀର ୨୧୮ଟି ଗ୍ରାମ ପଞ୍ଚାୟତର ୩୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦୁଝରର ୬ଟି ନିର୍ବାଚନମଣ୍ଡଳୀ ଓ ଭଦ୍ରକର ୫ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment