ଜାନୁଆରୀ ୨୧ରୁ ହେବ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ
ଆସନ୍ତାବର୍ଷ ଜାନୁଆରୀ ୨୧ରୁ ଅଯୋଧ୍ୟାସ୍ଥିତ ନବନିର୍ମିତ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେବ ବୋଲି ରାମ ଜନ୍ମଭୂମୀ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ୨୧ରୁ ୨୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ରାମ ମନ୍ଦିର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ୍ ରାୟ ସୂଚନା ଦେଇଛନ୍ତି ।
ଯଦିଓ ମୁଖ୍ୟ ଉତ୍ସବ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଆମନ୍ତ୍ରଣ କରାଯିବ, ତଥାପି ଏହି ଉତ୍ସବକୁ ଯଥାସମ୍ଭବ ରାଜନୀତିରୁ ମୁକ୍ତ ରଖାଯିବ ବୋଲି ସେ କହିଛନ୍ତି ।
କୌଣସି ମଞ୍ଚ ପ୍ରସ୍ତୁତ କରାଯାଉନଥିବାବେଳେ ଭାଷଣବାଜିର ପ୍ରଶ୍ନ ଉଠୁନଥିବା ସେ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ୧୩୬ଟି ସନାତନ ପରମ୍ପରାର ୨୫ ହଜାର ସାଧୁ, ସନ୍ନ୍ୟାସୀ ଓ ଧର୍ମଗୁରୁଙ୍କୁ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରାଯିବାର ଯୋଜନା ରହିଛି । ପ୍ରତିଷ୍ଠା ଉତ୍ସବର ପ୍ରତ୍ୟେକ ଦିନ ୧ ଲକ୍ଷ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କୁହାଯାଇଛି ।