ପିଲା ପଣକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ
ବାଲେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଲେଶ୍ୱର ସହରର ୪ଟି ସ୍କୁଲ୍କୁ ଆଜି ସକାଳେ ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କରିଥିବା ବେଳେ ଗୋଟିଏ ୟୁପି ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ଜାରି କରିଛନ୍ତି ନୋଟିସ୍। ୧୫ ଦିନ ଭିତରେ ନୋଟିସ୍ର ଉତ୍ତର ଦେବାକୁ ତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶ।
ବାଲେଶ୍ୱର ଜିଲ୍ଲା ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ଆସିଥିବା ମନ୍ତ୍ରୀ ଶ୍ରୀ ଦାଶ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୂତାରଙ୍କ ସହ ସହରର ଆଜିମାବାଦ ୟୁଜି ୟୁପି ସ୍କୁଲ, ମହାବୀର ନୋଡାଲ ୟୁପି ସ୍କୁଲ, ବାରବାଟୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଲେଶ୍ୱର ଟାଉନ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ।