ତରକାରୀ ପ୍ଲେଟ୍ରୁ ଡେଇଁଲା ମୁଣ୍ଡବିହୀନ ମୃତ ବେଙ୍ଗ

ଚୀନ୍ ରେସ୍ତୋରାଁରେ ବିଚିତ୍ର ଦୃଶ୍ୟ

0

ବେଜିଂ : ବେଙ୍ଗ, ସାପ, ମୂଷା, ଝିଟିପିଟି ଖାଇବା ଚୀନ୍ ନାଗରିକଙ୍କ ପାଇଁ କିଛି ନୂଆ କଥା ନୁହେଁ । ତେବେ ନିକଟରେ ଚୀନ୍ର ଗୋଟିଏ ରେସ୍ତୋରାଁରେ ଏଭଳି ଏକ ବିଚିତ୍ର ଘଟଣା ଘଟିଛି, ଯାହା ରେସ୍ତୋରାଁ ମାଲିକ ଓ ସେଠାରେ ଉପସ୍ଥିତ ଗ୍ରାହକଙ୍କୁ ବିସ୍ମିତ କରିଛି । କିଛିଦିନ ପୂର୍ବେ ଜଣେ ଗ୍ରାହକ ଉକ୍ତ ରୋସ୍ତେରାଁରେ ପହଞ୍ଚି ଖାଇବା ଅର୍ଡର କରିଥିଲେ । ତନ୍ମଧ୍ୟରେ ମୁଣ୍ଡନଥିବା ବ୍ରାହ୍ମଣୀ (ଜୁମ୍ବି) ବେଙ୍ଗର ଏକ ଆଇଟମ ଥିଲା ।
ଏହି ବେଙ୍ଗର ମୁଣ୍ଡକୁ କଟାଯାଇ ତେଲ ଓ ମସଲାରେ ଫ୍ରାଏ ଯାଇଥିଲା । ୱେଟର ଉକ୍ତ ଆଇଟମକୁ ଗ୍ରାହକଙ୍କ ଟେବୁଲରେ ରଖିବାପରେ ସେ ଖାଇବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ସେ ଲକ୍ଷ୍ୟ କଲେ ଯେ ପ୍ଲେଟ୍ରେ ରଖାଯାଇଥିବା ଏକାଧିକ ବେଙ୍ଗ ମଧ୍ୟରୁ ଗୋଟିଏ ବେଙ୍ଗ ଗୋଡହାତ ହଲଚଲ କରୁଛି । ହଠାତ୍ ବେଙ୍ଗଟି ଜୋରରେ ଗୋଡହାତ ଛାଟିବା ସହ ପ୍ଳେଟରୁ ଲମ୍ଫପ୍ରଦାନ କରି ଟେବୁଲ ଉପରେ ପଡିଥିଲା।

ସତେ ଯେପରି ଏହା ପ୍ରାଣ ବଞ୍ଚାଇ ପଳାଇବାକୁ ଉଦ୍ୟମ କରୁଛି। ଏହାଦେଖି ଗ୍ରାହକଜଣକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ମୁଣ୍ଡ ନଥିବା ଏହି ବେଙ୍ଗକୁ ତେଲମସଲା ଦେଇ ରନ୍ଧାଯିବାପରେ ଏହା କିପରି ଏଭଳି ଆଚରଣ ପ୍ରଦର୍ଶନ କଲା, ତାହା ଜୀବ ବିଜ୍ଞାନୀଙ୍କୁ ମଧ୍ୟ ଆଚମ୍ବିତ କରିଛି । ଏହି ଦୃଶ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a comment