ସରକାରଙ୍କ ଚାଟୁକାରିତା କରୁଛନ୍ତି ଅମଲାତନ୍ତ୍ର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ

0

ସରକାରଙ୍କ ଚାଟୁକାରିତା କରୁଛନ୍ତି ଅମଲାତନ୍ତ୍ର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ
ଭୁବନେଶ୍ବର: ରାଜ୍ୟସରକାରଙ୍କ ଉପରେ ବର୍ଷିଲା ବିଜେପି । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ଏପରି ଘଟଣା ପ୍ରଶାସନିକ ଇତିହାସରେ କଳଙ୍କର ଦଗ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ତାହା ସହ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନେଇ ଅନେକ ପ୍ରସଙ୍ଗ ଉଠାଇଛନ୍ତି ପୃଥ୍ବୀରାଜ । ସେ କହିଛନ୍ତି ସରକାରୀ ଅଧିକାରୀ ସରକାରଙ୍କ ଚାଟୁକାରିତା କରୁଛନ୍ତି । ଶାସକ ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି ବୋଲି ରୋକଠୋକ୍ ସେ କହିଛନ୍ତି । ଖାଲି ସେତିକି ନୁହେଁ ଅମଲାତନ୍ତ୍ର ଉପରୁ ରାଜ୍ୟବାସୀଙ୍କ ଆସ୍ଥା ତୁଟିଯାଇଥିବା ପୃଥ୍ବୀରାଜ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଜ୍ୟରେ ଆଉ ଆଇନଶୃଙ୍ଖଳା ନାହିଁ । ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି । ରାଜ୍ୟରେ ଦୁର୍ନୀତି ବ୍ୟାପକ ଭାବେ ବଢ଼ିଥିବା ବେଳେ ନିର୍ବାଚନ ବେଳେ ବାରମ୍ବାର ହିଂସା ଦେଖାଦେଇଛି ବୋଲି ସେ ତାଙ୍କ ବିବୃତିରେ କହିଛନ୍ତି ।
ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସୌଜନ୍ୟତା ଦୃଷ୍ଟିରୁ ପ୍ରାଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି । ସେ କହିଛନ୍ତି, ଅଫିସରମାନେ ସୌଜନ୍ୟତା ଦୃଷ୍ଟିରୁ ଅଭିନନ୍ଦନ ଜଣାଇବାକୁ ଭେଟିଛନ୍ତି । ଏଭଳି ପରମ୍ପରା ରହିବା ଉଚିତ, ଭାଇଚାରା ରହିବା ଦରକାର। ବିଜେପି ଯେଉଁ ରାଜ୍ୟରେ ଜିତୁଛି, ସେଠି ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟୁଛନ୍ତି । ଏଥିରେ କୌଣସି ଅସୁବିଧା ନାହିଁ । ନିର୍ଦ୍ଦିଷ୍ଟ ଅକେଜନ୍‌ରେ ପ୍ରଶାସନିକ ଅଧିକାରୀ ଭେଟିବାରେ ଅସୁବିଧା ନାହିଁ । ମାତ୍ର ସାକ୍ଷାତ ବେଳେ ପବ୍ଲିକ ଡିସ୍‌ପ୍ଲେ କରିବା ନିରପେକ୍ଷତାର ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

Leave a comment