ଦୀର୍ଘ ୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସର ନିଆଁ

ଦୀର୍ଘ ୩୬ ଘଣ୍ଟା ପରେ ଲିଭିଲା ନିଆଁ । ହେଲେ ନିଆଁ ସିନା ଲିଭିଲା, ଉଜୁଡି ଗଲା ଅନେକ ବ୍ୟବସାୟୀଙ୍କ ଜୀବିକା । ଏହି ନିଆଁର ଗର୍ଭରେ ପୋଡି ପାଉଁଶ ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ। ଏବେ ପାଉଁଶ ସ୍ତୁପକୁ ଦେଖି ମୁଣ୍ଡ ପିଟି କାନ୍ଦୁଛନ୍ତି ବ୍ୟବସାୟୀ ।
ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁକୁ ଶେଷରେ ଲିଭାଇବାରେ ସଫଳ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ।
ମାଝୀଙ୍କ ସୂଚନା ଅନୁଯାୟୀ, ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗର ୩୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ସମ୍ପୂର୍ଣ୍ଣ ଲିଭି ପାରିଛି । ମାର୍କେଟ କମ୍ପ୍ଲେକ୍ସର ପଛପଟକୁ ଭାଙ୍ଗି ଏମାନେ ନିଆଁକୁ ଆୟତ୍ତ କରିଥିଲେ। । ମାର୍କେଟ କମ୍ପ୍ଲେକ୍ସ ଭିତରେ ଅଏଲ ପେଣ୍ଟ ଥିବାରୁ ନିଆଁ ବ୍ୟାପକ ରୂପ ନେଇଥିଲା। ତା ଛଡା ଜୋତା, ଚପଲ ପରି ଦହନଶୀଳ ସାମଗ୍ରୀ ଯୋଗୁଁ ଧୂଆଁ ମଧ୍ୟ ଅଧିକ ହୋଇଥିଲା ଯାହା ନିଆଁ ଲିଭାଳିମାନଙ୍କ ପାଇଁ ବାଧକ ସାଜିଥିଲା ।
ଯାହା ବି ହେଉ, ନିଆଁ କିପରି ଲାଗିଲା ସେ ନେଇ ତଦନ୍ତ ଚାଲିଛି । ଆଜି ସିଟି ଡିଏସ୍ପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏକ ବୈଠକ କରି ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଅନ୍ୟପକ୍ଷେ ନିଆଁ ଲିଭିବା ପରେ ଏଠିକାର ଦୃଶ୍ୟ ଆହୁରି କରୁଣ ହୋଇପଡିଛି । ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ପୋଡି ପାଉଁଶ ହୋଇ ଯାଇଥିବାରୁ ବ୍ୟବସାୟୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯେଉଁମାନେ ଋଣ କରି ବ୍ୟବସାୟ କରିଛନ୍ତି ସେମାନଙ୍କ ଚିନ୍ତା ବେଶି ବଢି ଯାଇଛି ।