ଏଫ୍ଆଇଏଚ୍ ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

0

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ଅନୁଷ୍ଠିତ ହେବ । ହକି ଇଣ୍ଡିଆ ସହଯୋଗରେ ଓଡ଼ିଶା ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ର ଆୟୋଜନ କରିବେ । ଏହି ବିଶ୍ୱକପ୍ ପାଇଁ ଇତିମଧ୍ୟରେ ଅବଗଣନା ଆରମ୍ଭ ହୋଇଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଫିସିଆଲ୍ ଲୋଗୋର ଉନ୍ମୋଚନ କରିଛନ୍ତି । ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପୁରୁଷ ବିଶ୍ୱକପ୍ ଲୋଗୋ ଉନ୍ମୋଚନ କରି ସେ ବେଶ୍ ଖୁସି । ପଞ୍ଚଦଶ ସଂସ୍କରଣ ଭୁବନେଶ୍ୱର ସହ ରାଉରକେଲାରେ ନିର୍ମାଣାଧୀନ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ରେ ଖେଳାଯିବ ।

ଏହି ଷ୍ଟାଡିୟମ୍ରେ ପାଖାପାଖ ୨୦ ହଜାର ଦର୍ଶକ ଏକକାଳୀନ ମ୍ୟାଚ୍ ଦେଖିବାର ସୁଯୋଗ ପାଇପାରିବେ । ଦୁଇଟି ଭେନ୍ୟୁରେ ବିଶ୍ୱକପ୍ ହେବାକୁ ଯାଉଥିବାରୁ ଆମେ ବେଶ୍ ରୋମାଞ୍ଚିତ । ୨୦୧୮ ବିଶ୍ୱକପ୍ର ସଫଳତା ଏବେ ବି ଅବିସ୍ମରଣୀୟ ହୋଇ ରହିଛି । ତେଣୁ ଦୁଇଟି ଭେନ୍ୟୁରେ ହେବାକୁ ଥିବା ପଞ୍ଚଦଶ ସଂସ୍କରଣ ଏପରି ଆହୁରି ଅନେକ ଅବିସ୍ମରଣୀୟ ସ୍ମୃତିର ଛାପ ଛାଡ଼ିଯିବା ନିଶ୍ଚିତ । ଅନ୍ତର୍ଜାତୀୟ ହକି ପ୍ରଶଂସକମାନଙ୍କୁ ସ୍ୱାଗତ କରିବା ସକାଶେ ଓଡ଼ିଶା ଅପଲକ ନୟନରେ ଅପେକ୍ଷା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଏଫ୍ଆଇଏଚ୍ ସଭାପତି ଡ. ନରିନ୍ଦର ଧ୍ରୁବ ବତ୍ରା କହିଛନ୍ତି ଯେ ଆଗାମୀ ଜାନୁଆରୀରେ ଓଡ଼ିଶାରେ ଶହ ଶହ ସଂଖ୍ୟାରେ ଖେଳାଳି ଓ ସହସ୍ରାଧିକ ପ୍ରଶଂସକ ପହଞ୍ଚିବେ । ତେଣୁ ଏହି ହକି ମହୋତ୍ସବ ବେଶ୍ ସ୍ମରଣୀୟ ହୋଇପାରିବ । ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ଏଠାରେ ହକି ଖେଳିବାର ସୁଯୋଗ ପାଇବେ ଓ ସେମାନଙ୍କ ପ୍ରଦର୍ଶନକୁ ଉପଭୋଗ କରିବା ସକାଶେ ଦର୍ଶକମାନେ ଏହି ଇଭେଣ୍ଟ୍କୁ ଅପେକ୍ଷା କରି ରହିଛନ୍ତି । ତେବେ ହକିର ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ଭୂମିକାକୁ ଯେତେ ପ୍ରଶଂସା କଲେ ବି କମ୍ ହେବ ବୋଲି ଡ. ବତ୍ରା କହିଛନ୍ତି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍ବାମ୍ ବିଶ୍ୱକପ୍ ଲୋଗୋ ଉନ୍ମୋଚନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ଓଡ଼ିଶା ହକି ପ୍ରମୋସନ୍ କାଉନ୍ସିଲ୍ (ଓଏସ୍ପିସି) ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାରତ ଓ ଜର୍ମାନୀ ପୁରୁଷ ଟିମ୍ର ସଦସ୍ୟମାନେ ଫଟୋ ପାଇଁ ପୋଜ୍ ଦେଇଥିଲେ । ଦର୍ଶକ ଷ୍ଟାଣ୍ଡ୍ରେ ଆଶା ଦିଦି, ଅଙ୍ଗନୱାଡି କର୍ମୀ, ସୈନିକ ସ୍କୁଲ୍ ବିଦ୍ୟାର୍ଥୀ ଓ ବସ୍ତି ପିଲା ଉତ୍ସବକୁ ଉପଭୋଗ କରିଥିଲେ ।

Leave a comment