ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତ ୪ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ତେଣୁ ସମ୍ଭବତଃ ୮ ତାରିଖ ବେଳକୁ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଦେଇଛି।
ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାସ କହିଛନ୍ତି, ଆଜି ସକାଳେ ଲଘୁଚାପ କ୍ଷେତ୍ର ଦକ୍ଷିଣ ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପିଛି। ଲଘୁଚାପ କ୍ଷେତ୍ର ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତା ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ ।
ଏହି ସମୟରେ ଆଣ୍ଡାମାନ ସାଗର ଅଞ୍ଚଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୪୦ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେଉଛି। ଧିରେ ଧିରେ ଏହା ବଢ଼ିବ । ଗତ କିଛି ଦିନ ଧରି ଦେଖାଯାଉଥିବା ମେଘଖଣ୍ଡଗୁଡ଼ିକ ଏକତ୍ରିତ ହୋଇ ଘୂର୍ଣ୍ଣୟମାନ ଗତିରେ ରହୁଛନ୍ତି। ଏହା ଧିରେ ଧିର ବୃଦ୍ଧିପାଇ ୮ ତାରିଖ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପବନର ବେଗ ୫୫ରୁ ୬୫ ଓ ସର୍ବାଧିକ ୭୫ କିମି ରହିବ ବୋଲି ଆକଳନ କରାଯାଉଛି। ଏହା ପ୍ରଭାବରେ ଏବେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆଣ୍ଡାମାନ ସାଗର ଅଞ୍ଚଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ୮ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି।