କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅସାନି!

ଭୁବନେଶ୍ୱର : ସ୍ଥଳଭାଗ ମୁହାଁ ବାତ୍ୟା ଅସାନି। କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ। ବାତ୍ୟା ଅସାନିକୁ ନେଇ ଏମିତି କିଛି ଆକଳନ କରିଛି ପାଣିପାଗ ବିଭାଗ।
ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 630 କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବାତ୍ୟା ଆନ୍ଧ୍ରପ୍ରଦେଶ ପାଖାପାଖି କାକିନାଡାରେ ସ୍ଥଳଭାଗ ଛୁଇଁପାରେ। ବର୍ତ୍ତମାନ ଏହା କାକିନଡ଼ାଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବରେ 200 କିମି ଦୂରରେ ରହିଛି। କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ସ୍ଥଳଭାଗ ଛୁଇଁଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ ବାତ୍ୟା।
ବିଶାଖାପାଟଣାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହହୋଇଯିବାର ସମ୍ଭାବନା ରହିଛି। ଏହା ଭିତରେ ଓଡ଼ିଶା ଉପକୂଳ ଛୁଇଁବନି କିମ୍ବା ସେତେ ଅଧିକ ପବନ ବହିବନି। ଆଜିଠାରୁ ରାଜ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଆରମ୍ଭ ହୋଇଥିବା ବର୍ଷା ୧୩ ଯାଏ ଜାରି ରହିବ। ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ମଧ୍ୟମ ବର୍ଷା ହେବ। କାଲି ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ବର୍ଷା ହେବ। ସେଥିପାଇଁ ମାଲକାନିଗିରିକୁ ୨ଟି, କୋରାପୁଟକୁ ୬ଟି, ଗଞ୍ଜାମକୁ ୬, ଗଜପତି ଓ ରାୟଗଡାକୁ ୩ ଟି ଲେଖାଏଁ ଓଡ୍ରାଫ୍ ଟିମ୍ ପଠାଯାଇଛି। ତିନି ଦିନ ଯାଏ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।
ବାତ୍ୟା ପାଇଁ ପୁରୀରେ ସମସ୍ତ ବିଡିଓ, ତହସିଲଦାର ମାନଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଦରକାର ପଡିଲେ ଆଜିଠାରୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଅସାନି ପ୍ରଭାବରେ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି।