ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି
ଝାରସୁଗୁଡା:(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ ହୋଇଛି। ମୋଟ୍ ୨୦ ରାଉଣ୍ଡ ଗଣତି ହେବାକୁ ଥିବାବେଳେ ଗଣତି କେନ୍ଦ୍ରରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହି ପୁରା ଗଣତି ପ୍ରକ୍ରିୟାର ତଦାରଖ କରିବେ। ଗଣତି ପାଇଁ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି। ପ୍ରତି ରାଉଣ୍ଡ ଗଣତି ଶେଷରେ ଫଳାଫଳ ଘୋଷଣା ହେବ। ଭୋଟ୍ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି ସିଟ୍ ପାଇଁ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ପଟେଲଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଚାଲିଥିବା ବେଳେ ନିଜ ୨ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ବିଜେଡିର ଅଳକା ମହାନ୍ତିଙ୍କୁ ତୃତୀୟ ରାଉଣ୍ଡ କାଉଣ୍ଟିଂ ସୁଦ୍ଧା ୧୬,୦୩୩ ଭୋଟ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୩୮୪୧ ଓ କଂଗ୍ରେସର କିଶୋର ପଟେଲଙ୍କୁ ମିଳିଛି ୨୬୭୭ ଭୋଟ । ଗତ ମଙ୍ଗଳବାର ଦିନ ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଥିଲା। ଶାନ୍ତିଶୃଙ୍ଖଳାର ସହ ୨୭୯ଟି ବୁଥ୍ରେ ମତଦାନ ଶେଷ ହୋଇଥିଲା। ମତଦାନ ବେଳେ କୌଣସି ସ୍ଥାନରେ ସେମିତି କିଛି ବିଶେଷ ସମସ୍ୟା କି ଅପ୍ରୀତିକର ପରିସ୍ଥିତି ହୋଇନଥିବା ଦେଖିବାକୁ ମିଳିଥିଲା କେବଳ ୪ଟି ଇଭିଏମ୍ରେ ତ୍ରୁଟି ଦେଖା ଦେଇଥିଲା । ସେସବୁକୁ ପରିବର୍ତ୍ତନ କରାଯାଇଥିଲା। ବ୍ରଜରାଜନଗର ଉପନିର୍ବାଚନରେ ୭୧.୯୦% ମତଦାନ ହୋଇଛି।