ମିଶନ ଶକ୍ତିର ମା’ ମାନଙ୍କୁ ବିନା ସୁଧରେ ଋଣ ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨ଟି ଶାଖା ସହିତ ୨୮ ଜିଲ୍ଲାରେ ୨୮ଟି ଜିଲ୍ଲା ସେଲ୍ସ ହବ୍ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା’ମାନଙ୍କୁ ବିନା ସୁବଧରେ ଋଣ ଯୋଗାଇ ଦେବା ପାଇଁ ସୁଧ ରହିହାତି ଦେଉଛନ୍ତି । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କର ଅର୍ଥନୈତିକ ଅନ୍ତର୍ଭକ୍ତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେଣୁ ବ୍ୟାଙ୍କମାନେ ଗ୍ରାମାଂଚଳରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଜିରୋ ପରସେଂଟ ସୁଧରେ ଋଣ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବର୍ତମାନ କରୋନା ମହାମାରୀ ପରିପ୍ରେକ୍ଷୀରେ ସାରା ବିଶ୍ୱ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତିକରୁଛି । ଏହି ସମୟରେ ଦେଶ ଓ ରାଜ୍ୟର ଅର୍ଥନୈତିକ ପୁନରୁଦ୍ଧାର ସହିତ ଗ୍ରାମାଂଚଳ ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି କରିବାରେ ବ୍ୟାଙ୍କ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଷ୍ଟେଟ ବ୍ୟାଙ୍କ ରାଜ୍ୟର ଅପହଂଚ ଅଂଚଳରେ ଅଧିକରୁ ଅଧିକ ସଂଖ୍ୟକ ଶାଖା ଖୋଲିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ତୃଣମୂଳସ୍ତରରେ ଲୋକଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତି ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ସେଲ୍ସ ହବ୍ ସ୍ଥାପନ କରିବାରେ ଷ୍ଟେଟ ବ୍ୟାଙ୍କର ଅଭିନବ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଷ୍ଟେଟ ବ୍ୟାଙ୍କର ଏହି ଉଦ୍ୟମଯୋଗୁଁ ଗ୍ରାମାଂଚଳ ଓ ଅର୍ଦ୍ଧସହରାଂଚଳରେ ଅଧିକରରୁ ଅଧିକ ଲୋକମାନେ ବ୍ୟାଙ୍କ ସୁବିଧା ପାଇପାରିବ । ଷ୍ଟେଟ ବ୍ୟାଙ୍କ ତାର ଏହି ଉଦ୍ୟମ ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏସବିଆଇର ଚିଫ୍ ଜେନେରାଲ ମ୍ୟାନେଜର ରୁମା ଦେ କହିଛନ୍ତି ଯେ, ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ପାଇଁ ଷ୍ଟେଟ ବ୍ୟାଙ୍କ ତାର ଉଦ୍ୟମ ଜାରି ରଖିଛି । ରାଜ୍ୟର ମିଶନ ଶକ୍ତି ଓ ଜୀବିକା ମିଶନ କାର୍ଯ୍ୟକ୍ରମରେ ମଧ୍ୟ ଷ୍ଟେଟ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ଷ୍ଟେଟ ବ୍ୟାଙ୍କର ୪୪୩୫ଟି ଗ୍ରାହକ ସେବାକେନ୍ଦ୍ର ରହିଛି । ଆଜି ଆଉ ୫୧ଟି ନୂଆ ଗ୍ରାହକ ସେବାକେନ୍ଦ୍ର ଆରମ୍ଭ କରାଯାଇଥିଲା । ଏହି ଅବସରରେ କୋରାପୁଟର ମମତା ସ୍ୱୟଂ ସହାୟିକା ଗୋଷ୍ଠୀ ଓ କଳାହାଣ୍ଡିର ପ୍ରିୟଦର୍ଶିନୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଭିଡିଓ କନଫରେନ୍ସିଂ ଜରିଆରେ ଋଣ ଅନୁମୋଦନପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଏବଂ ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଅର୍ଥ ବିଭାଗ ପ୍ରମୁଖ ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଷ୍ଟେଟ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment