ମୁଖ୍ୟମନ୍ତ୍ରୀ ୨୧ରେ ଇଟାଲୀ ଓ ଦୁବାଇ ଗସ୍ତରେ ଯିବେ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବନ୍ଧୁମାନଙ୍କ ସହ ଆସନ୍ତା ୨୧ତାରିଖରେ ଇଟାଲୀ ଗସ୍ତରେ ଯିବେ। ସେଠାରୁ ସେ ଦୁବାଇ ଗସ୍ତ କରିବେ। ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ସହ ବିଦେଶ ଗସ୍ତରେ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି । ଶ୍ରୀ ପଟ୍ଟନାୟକ ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିବା ପରଠୁ ବିଦେଶ ଗସ୍ତରେ ଯାଇନଥିଲେ। ଶେଷଥର ପାଇଁ ୨୦୧୨ ମେ’ ମାସରେ ଲଣ୍ଡନରେ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ‘ମିଡନାଇଟ୍ ଅପରେସନ’ ଯୋଗୁ ସେ ନିଜର ଗସ୍ତକୁ କାଂଟଛାଂଟ୍ କରି ଫେରିଥିଲେ। ଏହି ଘଟଣାର ଦୀର୍ଘ ୧୦ବର୍ଷ ପରେ ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତ ଯାଉଥିବା ଜଣାପଡ଼ିଛି।

Leave a comment