ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

0

ଆଜି ରାଜ୍ୟ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ ଉପସ୍ଥାପିତ ହୋଇଛି ତାହା ହେଉଛି ଏକ ପ୍ରଗତିଶୀଳ, ଗରିବ ସ୍ୱାର୍ଥ ଏବଂ ବିକାଶଶୀଳ ଅଭିମୁଖୀ ବଜେଟ । ଏହି ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବଜେଟ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚଳିତ ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ବିଦ୍ୟାଳୟର ଉନ୍ନତିକରଣ, ଜୀବନ ଓ ଜୀବିକାର ବିକାଶ, ମହିଳା ସଶକ୍ତିକରଣ ସହିତ ଭତ୍ତିଭୂମି ବିକାଶକୁ ଗୁୁରୁତ୍ୱ ଦିଆଯାଇଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ବଜେଟ ଲାଗୁ ହେବା ପରେ ପୁଞ୍ଜିଖର୍ଚ୍ଚ ୫୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ ଯାହା କି, ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

ସେପଟେ ମହିଳା ସଶକ୍ତିକରଣ ଉପରେ ଏହି ବଜେଟରେ ଗୁରୁତ୍ୱ ଦିଆଯାଇଥିବା କଥା ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି କି ଚଳିତ ବଜେଟରେ ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ୨ ହଜାର କୋଟିର ବଜେଟ ପାରିତ କରାଯାଇଛି । ଯାହାକି ରାଜ୍ୟ ବିକାଶରେ ୭୦ ଲକ୍ଷ ମହିଳାଙ୍କ ଯୋଗଦାନକୁ ସୁନିଶ୍ଚିନ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାସହ ଏକ ବଜେଟ ସ୍ଥରୀକରଣ ପାଣ୍ଠି ସୃଷ୍ଟି କରିବାକୁ ଏହି ବଜେଟରେ ପଦକ୍ଷେପ ନିଆଯାଇଛି । ଯାହାକି ଭବିଷ୍ୟତରେ ଯେକୌଣସି ରାଜସ୍ୱ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ୫ଟି ଏବଂ ମୋ ସରକାର ଅଧିନରେ ଆମର ପରିବର୍ତ୍ତନକାରୀ ଏଜେଣ୍ଡା ଉପରେ ଏହି ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ଏହାସହ ଏହି ବଜେଟ ରାଜ୍ୟବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

Leave a comment