୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଦ୍ୱାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୫ ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲର ରୂପାନ୍ତରଣ ହୋଇଛି ।
ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ରୂପାନ୍ତରଣ କେବଳ ସ୍କୁଲର କାୟିକ ପରିବର୍ତ୍ତନ ନୁହେଁ । ଏହା ପିଲା ମାନଙ୍କର ମାନସିକ ସ୍ତରରେ ବିରାଟ ପରିବର୍ତ୍ତନ ଆଣିପାରିଛି । ପିଲାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଭବିଷ୍ୟତରେ ସେମାନେ ସଫଳ ହେବା ସହିତ ଓଡିଶାର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ସେ କହିଥିଲେ । ପିଲାଙ୍କ ଭିତରେ ମୁଁ ଭବିଷ୍ୟତ ଓଡିଶା ର ଝଲକ ଦେଖିପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ଉତ୍ସାହର ସହିତ ନିଜ ଭବିଷ୍ୟତର ସ୍ୱପ୍ନକୁ ଉପସ୍ଥାପିତ କରିଥିଲେ । ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ଝରି ଉଠୁଥିଲା । ସେମାନେ କହିଥିଲେ ଯେ ଉନ୍ନତ ସୁବିଧା ସହିତ ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ଯୋଗୁଁ, ଯେ କୌଣସି ବିଷୟରେ ସେମାନେ ତୁରନ୍ତ ଆବଶ୍ୟକୀୟ ତଥ୍ୟ ବା ଜ୍ଞାନ ପାଇପାରୁଛନ୍ତି । ସାରା ବିଶ୍ୱର ଜ୍ଞାନ ଏବେ ସେମାନଙ୍କ ହାତ ମୁଠାରେ । ତେଣୁ ରୂପାନ୍ତର ଯୋଗୁ ଏବେ ସ୍କୁଲ ସେମାନଙ୍କ ପାଇଁ ପ୍ରକୃତରେ ଏକ ଜ୍ଞାନ ମନ୍ଦିର ହୋଇପାରିଛି ବୋଲି ସେମାନେ କହିଥିଲେ. ସେମାନଙ୍କ ସ୍କୁଲ ଏବେ ଉତ୍କର୍ଷର କେନ୍ଦ୍ର ହୋଇଛି ବୋଲି ପିଲାମାନେ ମତ ଦେଇଥିଲେ । ଏହି ଅବସରରେ ଆଲୋଚନାରେ ଭାଗ ନେଇ କୋରାପୁଟରୁ ନିବେଦିତା, ଗଜପତିରୁ ରେଶମା, ସମ୍ବଲପୁରରୁ ଆକୃତି ବଲାଙ୍ଗୀରରୁ ଅଞ୍ଜନେୟ ଏହଂ ଯାଜପୁରରୁ ମନୀଷା ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାର ୯୫ଟି ହାଇସ୍କୁଲ, ଗଜପତିର ୩୧ଟି, ସମ୍ବଲପୁରର ୪୦ଟି, ବଲାଙ୍ଗୀରର ୧୦୦ଟି ଓ ଯାଜପୁରର ୧୫୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି ।

କାର୍ଯ୍ୟକ୍ରମ ପରିଚାଳନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ କହିଥିଲେ ଯେ ଦୁଇଟି ପର୍ଯ୍ୟାୟରେ ୩୯୮୧ଟି ହାଇସ୍କୁଲ ରୂପାନ୍ତରଣ ଶେଷ ହୋଇଛି. କୋଭିଡ ଓ ପଂଚାୟତ ନିର୍ବାଚନ ପରି ଆହ୍ୱାନ ମୂଳକ ସମୟ ସତ୍ୱେ ଏହା ସଫଳ ହୋଇ ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଶ୍ରୀ ପ୍ରଦୀପ ଜେନା ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।

Leave a comment