ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ୩୪୯ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବାରେ ନିୟୋଜିତ ହେବା ପାଇଁ ୩୪୯ଟି ନୂତନ ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ଦୁର୍ଘଟଣା କିମ୍ବା ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଏହି ଆମ୍ବୁଲାନ୍ସ ଗୁଡ଼ିକ କାର୍ଯ୍ୟ କରିବ । ଟୋଲ ଫ୍ରି’ ନମ୍ବର ୧୦୮ରେ ଫୋନ୍‌ କଲେ ଏହି ଆମ୍ବୁଲାନ୍ସ ଗୁଡ଼ିକ ରୋଗୀମାନଙ୍କୁ ବିନା ଦେୟରେ ତୁରନ୍ତ ସେବା ଯୋଗାଇ ଦେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଜି ଲୋକାର୍ପିତ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ ।

ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି । ୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ ।

Leave a comment