ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ଅନୁକମ୍ପାମୂଳକ ସହାୟତା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏସବୁ ଭିତରେ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨ଜଣ, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨ଜଣ, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।
ଗତ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗାରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ଏବଂ ଏକ ମାଲବାହୀ ଗାଡ଼ି ଦୁର୍ଘଟଣା ହେବା ଫଳରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଓଡ଼ିଶା ସମେତ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର ଯାତ୍ରୀମାନେ ସର୍ବାଧିକ ମୃତାହତ ହୋଇଛନ୍ତି।