ଉତ୍କଳ ବାଳାଶ୍ରମର ବିଲ୍ଡିଂ ନିର୍ମାଣ ପାଇଁ ୩.୪୨ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉତ୍କଳ ବାଳାଶ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଲେ, ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ପ୍ରତ୍ୟେକ ଶିଶୁ ଯେପରି ନିଜ ଦକ୍ଷତା ଅନୁସାରେ ଆଗକୁ ବଢ଼ିପାରିବ ସେଭଳି ପରିବେଶ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଉଛି।
ଶିଶୁମାନଙ୍କ ଅଧିକାରର ସୁରକ୍ଷା ଦିଗରେ ଶିଶୁ ସୁରକ୍ଷା ଆୟୋଗ ଆନ୍ତରିକତାର ସହ କାର୍ଯ୍ୟ କରୁଛି। ସମାଜରେ ସଚେତନତା ସୃଷ୍ଟି ଦିଗରେ ଆୟୋଗ ନିୟମିତ ପ୍ରଚେଷ୍ଟା ଜାରି ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ବାଳାଶ୍ରମର ବିଲ୍ଡିଂ ନିର୍ମାଣ ପାଇଁ ୩.୪୨ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଯୋଗ ଦେଇଥିଲେ। ଶ୍ରୀମତୀ ହେମ୍ବ୍ରମ୍ କହିଥିଲେ, ଶିଶୁକୁ ଉପଯୁକ୍ତ ପରିବେଶ ମିଳିପାରିଲେ ସେ ଜଣେ ଦକ୍ଷ ନାଗରିକ ହୋଇପାରିବ। ଶିଶୁଙ୍କୁ ବନ୍ଧୁ ଭଳି ବ୍ୟବହାର କଲେ ସେମାନେ ପଥଚ୍ୟୁତ ହେବେ ନାହିଁ। ଏହି ଅବସରରେ ସେ ଆୟୋଗର ସୋସିଆଲ ମିଡିଆର ଉଦ୍ଘାଟନ କରିଥିଲେ। ଆୟୋଗର ଅଧ୍ୟକ୍ଷ ମନ୍ଦାକିନୀ କର କହିଥିଲେ ଯେ ଉପଯୁକ୍ତ ପରିବେଶ ମଧ୍ୟରେ ଶିଶୁ ଅଧିକାରକୁ ସାବ୍ୟସ୍ତ କରିବା ହେଉଛି ସମସ୍ତଙ୍କର କର୍ତବ୍ୟ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କମିସନର ମିନତି ବେହେରା, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ କସ୍ତୁରୀ ମହାପାତ୍ର, ଓଡ଼ିଶା ଶିଶୁ କଲ୍ୟାଣ ସଚିବ କ୍ୟୁ.ସୁଲତାନା, ମହିଳା ଓ ଶିଶୁ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା, ଶିଶୁ ପ୍ରତିନିଧି ସୁବ୍ରତ ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଭାତ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଧର୍ମାନନ୍ଦ ସୁନ୍ଦରାୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମକୁ କଟକ ଡିସିପିଓ ପ୍ରଗତି ମହାନ୍ତି, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର କର୍ମକର୍ତା ଓ ଉତ୍କଳ ବାଳାଶ୍ରମର କର୍ମକର୍ତା ସହଯୋଗ କରିଥିଲେ।